ପଞ୍ଜାବରେ କେଜ୍ରିୱାଲଙ୍କ ବଡ ଘୋଷଣା: ମୋବାଇଲ୍ ନମ୍ବର ଦେଇ ଜନତାଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ ବାଛିବାର ଅଧିକାର

ଚଣ୍ଡିଗଡ଼: କିଏ ହେବ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଏହି ପ୍ରଶ୍ନକୁ ନେଇ ଏବେ ବି ଆଲୋଚନା ଚାଲିଥିବାବେଳେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏକ ଫୋନ୍ ନମ୍ବର ଜାରି କରିଛନ୍ତି । ଆଉ କହିଛନ୍ତି, ଲୋକମାନେ ଫୋନ୍ କରି ଯାହାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କହିବେ ଆମ୍ ଆଦମୀ ପାର୍ଟି ସେହି ପ୍ରାର୍ଥୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ।

ଗୁରୁବାର କେଜ୍ରିୱାଲ ପଞ୍ଜାବ ଜନତାଙ୍କ ପାଇଁ ଏକ ମୋବାଇଲ୍ ନମ୍ବର ଜାରି କରିଛନ୍ତି। ଏହି ନମ୍ବର ୭୦୭୪୮୭୦୭୪୮ ରେ ଫୋନ୍ କରି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପଞ୍ଜାବବାସୀ ନିଜର ରାୟ ଦେଇପାରିବେ ବୋଲି କେଜ୍ରିୱାଲ କହିଛନ୍ତି । ତେବେ କେବଳ କଲ୍ କରି ନୁହେଁ ବରଂ ହ୍ୱାଟ୍ସଆପ୍, ଏସଏମଏସ ଜରିଆରେ ମଧ୍ୟ ଲୋକମାନେ ନିଜର ରାୟ ଦେଇପାରିବେ । ଆସନ୍ତା ଜାନୁଆରି ମାସ ୧୭ ତାରିଖ ସନ୍ଧ୍ୟା ୫ଟା ଯାଏଁ ଏହି ଫୋନ୍ ଲାଇନ୍ ଖୋଲାରହିବ ।

ଏହି ଅବସରରେ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ପଞ୍ଜାବ ପ୍ରଦେଶର ଅଧ୍ୟକ୍ଷ ଭଗବନ୍ତ ମାନ ମଧ୍ୟ ସାମିଲ ଥିଲେ । ସେ କହିଥିଲେ ଯେ, କେଜ୍ରିୱାଲ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ କହିଥିଲେ ହେଲେ ସେ ଦଳର ଜଣେ ସିପାହୀ ହୋଇ ରହିବା ସହିତ ଜନତାଙ୍କୁ ଏନେଇ ପଚାରିବାକୁ ମତ ଦେଇଥିଲେ । ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏନେଇ ସହମତି ପ୍ରକାଶ କରିବା ପରେ ଏବେ ପଞ୍ଜାବ ଜନତାଙ୍କ ପାଇଁ ଆପ୍ ଏହି ସୁବିଧା ଆଣିଛି ।

ସୂଚନାଯୋଗ୍ୟ ଯେ, ଆଗାମୀ ଗୋଟିଏ ସପ୍ତାହ ଭିତରେ କେଜ୍ରିୱାଲ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରନ୍ତି । ତେବେ କିଏ ଆପର ମୁଖ୍ୟମନ୍ତ୍ରୀ ଚେହେରା ହେବ ତାକୁ ନେଇ ଏବେ ବି ପ୍ରଶ୍ନବାଚୀ ଲାଗି ରହିଛି ।

ସମ୍ବନ୍ଧିତ ଖବର