ଶପଥ ନେଲେ କେଜ୍ରିଵାଲ: ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଲୋଡ଼ିଲେ, ୬ ମନ୍ତ୍ରୀ ବି ଶପଥ ନେଲେ

ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଶପଥ ନେଲେ ‘ଆପ୍‌’ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ଆଜି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାମଲୀଳା ମୈଦାନରେ ଶପଥ ଗ୍ରହଣ କରିବା ଅବସରରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀର ବିକାଶ ପାଇଁ ତାଙ୍କ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଶୀର୍ବାଦ ଲୋଡ଼ିଛନ୍ତି। ନିର୍ବାଚନ ଶେଷ ହେଲାପରେ ରାଜନୀତି ବି ଶେଷ ହୋଇଯାଇଛି। ନିର୍ବାଚନ ବେଳେ ବିରୋଧୀମାନଙ୍କ ପ୍ରତି ଯଦି କିଛି ଆକ୍ଷେପମୂଳକ ମନ୍ତବ୍ୟ ଦେଇଥାନ୍ତି, ତେବେ ତାଙ୍କୁ କ୍ଷମା କରିବାକୁ କେଜ୍ରିୱାଲ କହିଛନ୍ତି। ‘ଭାରତ ମାତା କୀ ଜୟ’, ‘ଇନ୍‌କିଲାବ ଜିନ୍ଦା‌ବାଦ’ କହି କେଜ୍ରିୱାଲ ଆଜି ଭାଷଣ ଆରମ୍ଭ କରିଥିଲେ ଏବଂ ‘ହମ୍‌ ହୋଙ୍ଗେ କାମ୍‌ୟାବ’ରେ ଭାଷଣ ଶେଷ କରିଥିଲେ। କେଜ୍ରିୱାଲଙ୍କ ସହ ୬ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ୍‌ ହୁସେନ୍‌ ଏବଂ ରାଜେନ୍ଦର ପାଲ୍‌ ଗୌତମ। ଦିଲ୍ଲୀର ଉପ ରାଜ୍ୟପାଳ ଅନୀଲ ବୈଜଲ୍‌ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ଲାଗି ରାମଲୀଳା ମୈଦାନକୁ ପୋଷ୍ଟର୍‌ ଓ ବ୍ୟାନର୍‌ରେ ସଜା ଯାଇଥିଲା। ବ୍ୟାନର୍‌ରେ କେଜ୍ରିଵାଲ୍‌ଙ୍କ ଫଟୋ ସହ ‘ଧନ୍ୟବାଦ ଦିଲ୍ଲୀ’ ଲେଖାଯାଇଥିଲା। ଶପଥ ଗ୍ରହଣ ପୂର୍ବରୁ ‘ଆପ୍‌’ ଟ୍ବିଟ୍‌ କରିଥିଲା ଯେ ଆଉ ଏକ ଐତିହାସିକ ଘଟଣା ଦେଖିବାକୁ ରାମଲୀଳା ମୈଦାନରେ ଦିଲ୍ଲୀବାସୀ ଏକଜୁଟ୍‌ ହୋଇଛନ୍ତି। ସମସ୍ତେ ‘ଦିଲ୍ଲୀକା ବେଟା’ ଅରବିନ୍ଦ କେଜ୍ରିଵାଲ୍‌ଙ୍କୁ ଆଶୀର୍ବାଦ କରିବାକୁ ଆସିଛନ୍ତି। ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଵାଲ୍‌ କହିଛନ୍ତି ଯେ ନିର୍ବାଚନ ଫଳାଫଳ କେବଳ ‘ଆପ୍‌’ର ବିଜୟ ନୁହେଁ, ଦିଲ୍ଲୀର ସମସ୍ତ ପରିବାରର ବିଜୟ।

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଆପ୍‌ ସରକାରର ଶପଥ ଗ୍ରହଣ ଉତ୍ସବରେ ଜଣେ ମନ୍ତ୍ରୀ ଈଶ୍ବରଙ୍କ ନାମ ପରିବର୍ତ୍ତେ ସ୍ବାଧୀନତା‌ ସଂଗ୍ରାମୀଙ୍କ ନାମରେ ଶପଥ ଗ୍ରହଣ କରିବା ଘଟଣା ଚର୍ଚ୍ଚାରେ ରହିଛି। କେଜ୍ରିୱାଲଙ୍କ କ୍ୟାବିନେଟର ମନ୍ତ୍ରୀ ଭାବେ ଆଜି ଗୋପାଳ ରାୟ ଶପଥ ଗ୍ରହଣ କଲାବେଳେ ପାରମ୍ପରିକ ଭାବେ ଈଶ୍ବରଙ୍କ ନାମ ନ ନେଇ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଶପଥ ଗ୍ରହଣ କରିଥିଲେ। ତେବେ କେଜ୍ରିୱାଲଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଈଶ୍ବରଙ୍କ ନାମରେ ଶପଥ ଗ୍ରହଣ କରିଛନ୍ତି। ଗୋପାଳ ରାୟ କେଜ୍ରିୱାଲଙ୍କ ପୂର୍ବ ସରକାରରେ ଶ୍ରମ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ୍‌ ୬୨ ଆସନ ହାସଲ କରିଥିଲେ ମଧ୍ୟ ମନ୍ତ୍ରିମଣ୍ଡଳରେ କୌଣସି ନୂଆ ମୁହଁଙ୍କୁ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର