ନୂଆଦିଲ୍ଲୀ : ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଆସନ୍ତା ୧୬ ତାରିଖରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ରାମଲୀଳା ମଇଦାନ୍‌ରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ କେଜ୍ରିୱାଲ୍‌ ଶପଥ ନେବେ। କେଜ୍ରିୱାଲ୍‌ଙ୍କ ସମେତ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଏହିଦିନ ଶପଥ ନେବେ। ସରକାର ଗଠନ ପାଇଁ ଦାବି ଉପସ୍ଥାପନ ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଏହି ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଦିଲ୍ଲୀରେ ନୂଆ ମନ୍ତ୍ରିମଣ୍ଡଳରେ କୌଣସି ନୁଆ ମୁହଁ ସାମିଲ ହେବେନାହିଁ। ପୂର୍ବ ସରକାରରେ ଥିବା ୭ ଜଣ ମନ୍ତ୍ରୀ ପୁଣିଥରେ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି ଜଣାପଡ଼ିଛି। ଦିଲ୍ଲୀ କ୍ୟାବିନେଟ୍‌ରୁ ଦୁଇ ଜଣ ପୁରୁଣା ମନ୍ତ୍ରୀଙ୍କୁ ବାଦ୍‌ ଦିଆଯିବ ଏବଂ ଉକ୍ତ ୨ ଜଣଙ୍କ ସ୍ଥାନରେ ଆପ୍‌ ନେତା ଅତିଶୀ ଏବଂ ରାଘବ ଚଧାଙ୍କୁ ସାମିଲ କରାଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ଥମିଯାଇଛି। ଆପ୍‌ ସୂତ୍ରରୁ ଜଣାପଡ଼ିଛି ସମସ୍ତ ପୂର୍ବ ୭ କ୍ୟାବିନେଟ୍‌ ମନ୍ତ୍ରୀ ପୁଣିଥରେ ଶପଥ ନେବେ।

Advertisment

କେଜ୍ରିୱାଲ୍‌ଙ୍କ ପାଇଁ କ’ଣ ଥିଲା ପିକେଙ୍କ ଏକମାତ୍ର ବାର୍ତ୍ତା
ନୂଆଦିଲ୍ଲୀ : ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିଜୟ ପଛରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବଳିଷ୍ଠ ଭୂମିକା ରହିଛି। ଚଳିତ ନିର୍ବାଚନ କେଜ୍ରିୱାଲ୍‌ଙ୍କ ପାଇଁ ବହୁତ ବଡ଼ ଚ୍ୟାଲେଂଜ ଥିଲା। କିନ୍ତୁ କେଜ୍ରିୱାଲ୍‌ ବିଜେପିକୁ ଅତ୍ୟନ୍ତ ସଠିକ୍‌ ଢଙ୍ଗରେ ମୁକାବିଲା କରିଛନ୍ତି। କେଜ୍ରିୱାଲ୍‌ଙ୍କ ନିର୍ବାଚନୀ ପ୍ରଚାର ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିଲେ। ‌ତେବେ ମିଳିଥିବା ସୂଚନାନୁଯାୟୀ ପିକେ କେଜ୍ରିୱାଲ୍‌ଙ୍କୁ ଏକମାତ୍ର ଉପଦେଶ ଦେଇଥିଲେ ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କହିଥିଲେ। କେଜ୍ରିୱାଲ୍‌ କାହାକୁ ବିରୋଧ ନକରି କେବଳ ନିଜକୁ ଜଣେ ବିକାଶବାଦୀ ବ୍ୟକ୍ତି ଭାବେ ଉପସ୍ଥାପନ କରିବାକୁ ପିକେ ପରାମର୍ଶ ଦେଇଥିଲେ। ନିର୍ବାଚନୀ ପ୍ରଚାରରେ ‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗୋଟିଏ ମଧ୍ୟ ଶବ୍ଦ ନ କହିବାକୁ ସେ କେଜ୍ରିୱାଲଙ୍କୁ କହିଥିଲେ।

କେଜ୍ରିୱାଲଙ୍କ ବିଜୟ ନେଇ ବିଶ୍ବ ଗଣମାଧ୍ୟମର ପ୍ରତିକ୍ରିୟା
ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ଐତିହାସିକ ବିଜୟ ନେଇ ବିଶ୍ବର ବିଭିନ୍ନ ଗଣମାଧ୍ୟମ ଭିନ୍ନଭିନ୍ନ ମତ ରଖିଛନ୍ତି। ବିଶ୍ବର ପ୍ରମୁଖ ଗଣମାଧ୍ୟମ ବିଜେପିର ପରାଜୟକୁ ମୋଦୀଙ୍କ ପରାଜୟ ବୋଲି ଦର୍ଶାଇଛନ୍ତି। ସମସ୍ତେ କେଜ୍ରିୱାଲଙ୍କ ବିଜୟ ଅପେକ୍ଷା ମୋଦୀଙ୍କ ପରାଜୟକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନରେ ମୋଦୀଙ୍କ ଦଳ ବିପୁଳ କ୍ଷତି ସହିଛି ବୋଲି ନ୍ୟୁୟର୍କ ଟାଇମ୍‌ସ ଉଲ୍ଲେଖ କରିଛି। ବିଜେପି କେନ୍ଦ୍ରମନ୍ତ୍ରୀଙ୍କ ‘ଗୋଲି ମାରୋ’ ବୟାନ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ନ୍ୟୁୟର୍କ ଟାଇମ୍‌ସ ପ୍ରକାଶ କରିଛି। ସେହିଭଳି ୱାସିଂଟନ ପୋଷ୍ଟ ଲେଖିଛି, ମୋଦୀଙ୍କ ଦଳର ଆଶ୍ଚର୍ଯ୍ୟଜନକ ପରାଜୟ ଘଟିଛି। ଆମ୍‌ ଆଦ୍‌ମି ପାର୍ଟି ଅର୍ଥାତ୍‌ ସାଧାରଣ ଲୋକଙ୍କ ଦଳ ମୋଦୀଙ୍କ ବିଜେପି ଦଳକୁ ଯେଉଁଭଳି ପରାଜିତ କରିଛି ତାହା ମୋଦୀଙ୍କ ସମ୍ମାନରେ ଯଥେଷ୍ଟ ଆଞ୍ଚ ଆଣିଛି ବୋଲି ୱାସିଂଟନ ପୋଷ୍ଟ ଲେଖିଛି। ବିଜେପିର ଜୋରଦାର ପ୍ରଚାର ଭୋଟରେ ପ୍ରତିଫଳିତ ହୋଇପାରିନାହିଁ ବୋଲି ଅଲ୍‌ ଜଜିରା ରିପୋର୍ଟ କରିଛି। କେଜ୍ରିୱା‌ଲଙ୍କ ବିକାଶ ପ୍ରସଙ୍ଗ ସାଧାରଣ ଗରିବ ଲୋକଙ୍କୁ ଛୁଇଁପାରିଛି ବୋଲି ଅଲ୍‌ ଜଜିରା ‌ଉଲ୍ଲେଖ କରିଛି। କେଜ୍ରିୱାଲଙ୍କ ଦୁର୍ନୀତି ବିରୋଧୀ ପ୍ରଚାର ମୋଦୀଙ୍କ ବିଜେପିକୁ ଧରାଶାୟୀ କରିଛି ବୋଲି ବିବିସି ପ୍ରକାଶ କରିଛି। ମାଗଣା ବିଜୁଳି, ପାଣି ଓ ଶିକ୍ଷା କେଜ୍ରିୱାଲକୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରିଛି ବୋଲି ବିବିସି ଉଲ୍ଲେଖ କରିଛି। ବିଜେପିର ପରାଜୟ, ମୋଦୀଙ୍କ ପରାଜୟ ବୋଲି ଗାର୍ଡିଆନ୍‌ ଲେଖିଛି।