ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଧାନସଭା ନିର୍ବାଚନରେ ହାରିବା ପରେ ସେ କଣ କରିବେ ତାଙ୍କର ରାଜନୈତିକ ଭବିଷ୍ୟତ କଣ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗିଥିଲା । ଏମିତିକି ସେ ରାଜ୍ୟସଭାକୁ ଯିବେ ବୋଲି ବି କୁହାଗଲା । ହେଲେ ଏବେ ତାଙ୍କ ସୁରକ୍ଷାକୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଜୋର । କୁହାଯାଉଛି କେଜ୍ରିୱାଲଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିବାରେ କୌଣସି ଅସୁବିଧା ହେବ ନାହିଁ । ଅର୍ଥାତ୍ ସୁରକ୍ଷାକୁ ନେଇ ରିଭ୍ୟୁ କରିବା ପରେ କେନ୍ଦ୍ର ମନ୍ତ୍ରଣାଳୟ ଏନେଇ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁସାରେ ତାଙ୍କୁ ସୁରକ୍ଷା ମିଳିବ ।
ଆପ୍ର ମୁଖ୍ୟ କେଜ୍ରିୱାଲ । ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁଲମଖୁଲା ଟାର୍ଗେଟ୍ କରିଥିଲେ । ଏମିତିକି ଦେଶର ବିକାଶ ନୁହେଁ ବରଂ ବିନାଶ ଦିଗରେ ମୋଦୀ କାମ କରନ୍ତି ବୋଲି ସେ କହିବାକୁ ପଛାଇ ନଥିଲେ । କେବଳ ଏତିକି ନୁହେଁ ବରଂ ବିଜେପି ସରକାରକୁ ଆସିଲେ ଦିଲ୍ଲୀର ବସ୍ତି ଭଙ୍ଗାଯିବ, ସବୁ ସରକାରୀ ଯୋଜନା ବନ୍ଦ କରିଦିଆଯିବ, ମାଗଣା ବସ୍ ସେବା, ପେନସନ୍ ବନ୍ଦ ହେବ । ମାଗଣା ବିଜୁଳି ଓ ପାଣି ଉପରେ ବି ଅଙ୍କୁଶ ଲାଗିବା ନେଇ କେଜ୍ରିୱାଲ କହିଥିଲେ । ହେଲେ ଏହାକୁ କାଉଣ୍ଟର କରିଥିଲେ ମୋଦୀ । କହିଥିଲେ, ବିଜେପି ସରକାର ଆସିଲେ ବସ୍ତି ଭଙ୍ଗାଯିବନି ବରଂ ବସ୍ତିର ବିକାଶ ହେବ । ଦିଲ୍ଲୀ ରାଜଧାନୀ ହୋଇଥିବାକୁ ସବୁ ରାଜ୍ୟର ଲୋକ ଏଠାରେ ରହୁଛନ୍ତି । ତେଣୁ କେଜ୍ରିୱାଲ ଦିଲ୍ଲୀର ବିକାଶ ନକରିପାରିଥିବାରୁ ଏଥର ତାଙ୍କୁ ଭୋଟ୍ ମିଳିବନି । ସତରେ ସେଇୟା ହିଁ ହେଲା ।
ଦିଲ୍ଲୀର ମୋଟ୍ ୭୦ ବିଧାନସଭା ଆସନରୁ ମାତ୍ର ୨୨ ସିଟ୍ରେ ଆପ୍ ବିଜୟ ହୋଇଥିବା ବେଳେ କେଜ୍ରିୱାଲ, ମନୀଷ ସିସୋଦିଆଙ୍କ ପରି ତୁଙ୍ଗ ନେତା ମାଟି କାମୁଡ଼ି ପଡ଼ିଥିଲେ । ପରେ ପରେ ଦିଲ୍ଲୀ ବିଧାନସଭାରୁ ଆପ୍ ବିଧାୟକଙ୍କୁ ଗଣ୍ଡଗୋଳ ଲାଗି ନିଲମ୍ବିତ କରିଥିଲେ ବାଚସ୍ପତି । ଏମିତି ଅନେକ ବିବାଦରେ ଛନ୍ଦି ହୋଇ ପଡିଛନ୍ତି କେଜ୍ରିୱାଲ ।