ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିବାର ପ୍ରାୟ ଗୋଟିଏ ବର୍ଷ ପରେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଦିଆଯାଇଛି। କେଜ୍ରିୱାଲ୍ ନିଜକୁ ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଦର୍ଶାଇ ଉପଯୁକ୍ତ ବାସଗୃହ ପାଇଁ ଅନୁରୋଧ କରିଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନୁରୋଧକୁ ରକ୍ଷା କରି ୯୫ ଲୋଧି ଇଷ୍ଟେଟରେ ଏକ ଟାଇପ୍ ୭ ବା ସାତ ବଖରା ବିଶିଷ୍ଟ ବଳଙ୍ଗା ପ୍ରଦାନ କରିଛନ୍ତି।
ପୂର୍ବରୁ, ଆପ କେନ୍ଦ୍ର ସରକାରଙ୍କୁ ୩୫, ଲୋଧି ଇଷ୍ଟେଟରେ ଥିବା ବଙ୍ଗଳା ଦେବାକୁ ଅନୁରୋଧ କରିଥିଲା। ଯାହାକୁ ମାୟାବତୀ ବ୍ୟବହାର କରୁଥିଲେ। କିନ୍ତୁ ସେହି ବାସଭବନ ଜୁଲାଇରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ହସ୍ତାନ୍ତର କରାଯାଇଥିଲା।
ସୋମବାର ଦିନ, ସରକାର ଘର ଆବଣ୍ଟନ ବିଷୟରେ ସୂଚନା ଦେବା ପରେ ଆପ ନେତା ସୋମବାର ନୂତନ ଘରକୁ ଯାଞ୍ଚ କରିବା ପାଇଁ ଗସ୍ତ କରିଥିଲେ। କେଜ୍ରିୱାଲ୍ ତାଙ୍କ ନୂତନ ବାସଭବନକୁ ବୁଲିକି ଦେଖିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଟାଇପ୍ ୭ ବଙ୍ଗଳାରେ ସାଧାରଣତଃ ଚାରୋଟି ଶୟନ କକ୍ଷ, ବଡ଼ ଏକ ଲନ୍, ଗୋଟିଏ ଗ୍ୟାରେଜ୍, ତିନୋଟି ଗୃହ ସହାୟକ କ୍ୱାର୍ଟର ଓ ଏକ ଅଫିସ୍ ପାଇଁ ସ୍ଥାନ ଅନ୍ତର୍ଭୁକ୍ତ। ପ୍ରାୟ ୫ ହଜାର ବର୍ଗଫୁଟ ଆକାରର ଏହି ଘରର ଦୁଇ ପାର୍ଶ୍ୱରେ ଲନ୍ ଓ ଅଫିସ୍ ଅଛି।
କେଜ୍ରିୱାଲଙ୍କ ପାଖରେ ଏବେ କଂଗ୍ରେସର ଶଶୀ ଥରୁରଙ୍କ ପଡ଼ୋଶୀ ହେବେ। ଯିଏକି ୯୭ ନମ୍ବର ବଙ୍ଗଳାରେ ରହୁଛନ୍ତି। ୯୪ ଏବଂ ୯୬ ନମ୍ବର ବଙ୍ଗଳା ସେନା ଅଧିକାରୀମାନଙ୍କୁ ଆବଣ୍ଟିତ କରାଯାଇଛି। ଆରଜେଡିର ମିସା ଭାରତୀ ଏବଂ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅଧିକ ଦୂରରେ ରୁହନ୍ତି ନାହିଁ। ସେମାନଙ୍କୁ ଯଥାକ୍ରମେ ୮୨ ଏବଂ ୮୧ ନମ୍ବର ବଙ୍ଗଳା ଦିଆଯାଇଛି।
୧୭ ସେପ୍ଟେମ୍ବର, ୨୦୨୪ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ କେଜ୍ରିୱାଲଙ୍କ ପାଖରେ ସ୍ଥାୟୀ ସରକାରୀ ବାସଭବନ ନାହିଁ। ୪ ନଭେମ୍ବରରେ ୬, ଫ୍ଲାଗଷ୍ଟାଫ୍ ରୋଡରେ ଥିବା ତାଙ୍କ ସରକାରୀ ବାସଭବନ ଛାଡିବା ପରେ, ସେ ପଞ୍ଜାବର ଆପର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କ ୫, ଫିରୋଜଶାହ ରୋଡରେ ଥିବା ଘରେ ଅସ୍ଥାୟୀ ଭାବରେ ରହିଥିଲେ।