ନୂଆଦିଲ୍ଲୀ: ରାଜ୍ୟସଭା ଯାଇପାରନ୍ତି କେଜ୍ରିୱାଲ । ପଞ୍ଜାବରୁ ରାଜ୍ୟସଭା ଯିବା ନେଇ ଚାଲିଛି ମାନସମନ୍ଥନ । ଦିଲ୍ଲୀରେ ହାରିବା ପରେ ପଞ୍ଜାବରେ ହିଁ କେବଳ ଆପ୍ ସରକାର ଅଛି ତେଣୁ ସେଠାରୁ ନିଜ ଆଗାମୀ ରାଜନୈତିକ ଭବିଷ୍ୟତକୁ ଉଜ୍ଜୀବିତ ରଖିପାରନ୍ତି କେଜ୍ରିୱାଲ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ଗଲା, ହାତରୁ ଦିଲ୍ଲୀର ଦଖଲ ବି ଗଲା । ରାଜଧାନୀରେ ଆପ୍ ସରକାର ଭାଙ୍ଗିଯିବା ପରେ ଏବେ ଚିନ୍ତାରେ ଆପର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ । ତେଣୁ ପଞ୍ଜାବରୁ ରାଜ୍ୟସଭା ଯିବା ନେଇ କଳ୍ପନା ଜଳ୍ପନା ଜାରି ରହିଛି ।
ପଞ୍ଜାବରୁ ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଥିବା ବେଳେ ତାଙ୍କୁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ କରିବା କେଜ୍ରିୱାଲ ରାଜ୍ୟସଭା ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେହେତୁ କେଜ୍ରିୱାଲ ଜାତୀୟ ଚେହେରା ତେଣୁ ସେ ରାଜନୀତିରୁ ହଜି ନଯିବାକୁ ରଣନୀତି ଚଳାଇଛନ୍ତି । ତେଣୁ ସଞ୍ଜୀବ ଆରୋରାଙ୍କ ସ୍ଥାନରେ ସେ ସଂସଦର ଉଚ୍ଚ ସଦନକୁ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ପଞ୍ଜାବରେ ଏବେ ଆପ ସରକାର ରହିଛି । ସଂଖ୍ୟା ଦୃଷ୍ଟିରୁ ପଞ୍ଜାବରୁ ହିଁ ରାଜ୍ୟସଭା ସାଂସଦ ପଠାଇପାରିବ ଆପ୍ । ଜାତୀୟ ରାଜନୀତିରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ କ୍ରେଜିୱାଲ ରାଜ୍ୟସଭାକୁ ସାଂସଦ ଭାବେ ଯିବାକୁ ଚାହୁଁଥିବା ଆଲୋଚନା ହେଉଛି । କାରଣ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ କେବଳ ଶାସନ କ୍ଷମତାରୁ ଯାଇନି ବରଂ ଦଳର ସଂଯୋଜକ କେଜ୍ରିୱାଲଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି ।
ଏଭଳି ସ୍ଥିତିରେ ଆଗକୁ ଆପର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପଞ୍ଜାବରେ ଆପ୍ ସରକାର ଭାଙ୍ଗିଯିବା ଚର୍ଚ୍ଚା ଭିତରେ କେଜ୍ରିୱାଲ ନିଜ ରାଜନୀତି ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟସଭା ରାସ୍ତାକୁ ଆପଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ପଶ୍ଚିମ ଲୁଧିଆନାରେ ହେବାକୁ ଥିବା ଉପ-ନିର୍ବାଚନ କେଜ୍ରିୱାଲଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି । ପଶ୍ଚିମ ଲୁଧିଆନା ଆସନ ପାଇଁ ଦଳର ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରାଙ୍କୁ ପ୍ରାର୍ଥୀ କରାଯାଇଛି ।
ତେଣୁ ସଞ୍ଜୀବଙ୍କ ସ୍ଥାନରେ କେଜ୍ରିୱାଲ ସଂସଦକୁ ବ୍ୟାକଡୋର ଏଣ୍ଟ୍ରି ମାରି ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହାଛଡା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପଞ୍ଜାବ ନିର୍ବାଚନ ପୂର୍ବରୁ ନିଜ ପାଇଁ କ୍ରେଜିୱାଲ ସ୍ଥାନ ସୁରକ୍ଷିତ କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।