ବୁଧବାର ରାତି ବି ଜେଲରେ କଟାଇବେ ଆରୟନ ଖାଁ

ମୁମ୍ବାଇ: ବୁଧବାର ରାତି ବି ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ବିତେଇବେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁତ୍ର ଅରୟନ ଖାଁ । ବମ୍ବେ ହାଇକୋର୍ଟରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଜାମିନ ଆବେଦର ଶୁଣାଣି ଆସନ୍ତା କାଲି ମଧ୍ୟ ଜାରି ରହିବ ।

ଆଜିର ଶୁଣାଣି ବେଳେ ଆରୟନଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଆରୟନଙ୍କୁ ଜାମିନ ନଦେବା ତାଙ୍କ ସାମ୍ବିଧାନିକ ଅଧିକାରର ହନନ । ଜଣେ ବ୍ୟକ୍ତିଙ୍କୁ କେଉଁ କାରଣରୁ ଗିରଫ କରାଯାଇଛି ତାହା ତାଙ୍କୁ ନ ଜଣାଇବା  ବେଆଇନ । ତାଙ୍କୁ ଅକ୍ଟୋବର ୨ ତାରିଖରେ ଗିରଫ ବେଳେ ଅପରାଧିକ ଷଡ଼ଯନ୍ତ୍ର କଥା କୁହାଯାଇନଥିଲା । ଗିରଫର ପର ଦିନ ଅର୍ଥାତ ୩ ତାରିଖରେ ଏହାକୁ ଯୋଡ଼ାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଆରୟନଙ୍କ ଫୋନ କଥା ଦର୍ଶାଯାଇନାହିଁ । କିନ୍ତୁ ଫୋନଟି ଏବେ ଏନସିବି କବଜାରେ ରହିଛି ।

ଏହା ପୂର୍ବରୁ ଅନ୍ୟତମ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟଙ୍କ ଓକିଲ ଅମିତ ଦେଶାଇ କହିଥିଲେ ଯେ ଏହା ମାମଲାଟି କେବଳ ଏକ ଡ୍ରଗ୍ସ ସେବନ ସଂପର୍କିତ ମାମଲା । ଏହି ମାମଲାରେ ସର୍ବାଧିକ ଜେଲଦଣ୍ଡ ୧ ବର୍ଷ । ପୁଣି ଗିରଫଦାରି ସମୟରେ ଏନସିବି ପକ୍ଷରୁ ଅପରାଧିକ ଷଡ଼ଯନ୍ତ୍ର ଆରୋପ ଲଗାଯାଇନଥିଲା । ଏଣୁ ଅଭିଯୁକ୍ତମାନଙ୍କୁ ଜାମିନ ଦିଆଯାଉ ।

ସମ୍ବନ୍ଧିତ ଖବର