ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ ପାର୍ଟିରୁ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖଙ୍କ ପୁଅ ଆରୟନ ଖାନଙ୍କୁ ଜାମିନ ମିଳିସାରିଛି। ହେଲେ ଏହି ମାମଲା ସହ ଜଡ଼ିତ ନୂଆ ନୂଆ ତଥ୍ୟ ଏବେ ବି ଆସିବା ବନ୍ଦ ହୋଇନାହିଁ। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁଖ୍ୟ ସୀମର ୱଙ୍ଖେଡେ କିରଣ ଗୋସାବୀ ସହ ମିଶି ଆରୟନଙ୍କୁ ଛାଡ଼ିବା ପାଇଁ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଆରୟନଙ୍କୁ ଫସାଇବା ପାଇଁ କିରଣ ନିଜ ସାଥୀମାନଙ୍କ ସହ ଷଡ଼ଯନ୍ତ୍ର ରଚିଥିଲା ବୋଲି ଏବେ ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ମୁତାବକ, ସୁନୀଲ ପାଟିଲ, କିରଣ ଗୋସାବୀ ଏବଂ ମନୀଷ ଭାନୁଶାଲୀ ମିଶି ଆରୟନ ଏବଂ ତାଙ୍କ ସାଙ୍ଗମାନଙ୍କୁ ଫସାଇବାକୁ ଯୋଜନା କରିଥିଲେ। କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ନେଇ ଏନସିବିକୁ ଖବର ଦେବା ଏବଂ ଏନସିବି ସେମାନଙ୍କୁ ଅଟକ ରଖିବା ପରେ ନିଜକୁ ଏନସିବି ଅଫିସର ବୋଲି କହି ଆରୟନଙ୍କୁ ଛାଡ଼ିବା ପାଇଁ ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିବାର ଯୋଜନା କରିଥିଲେ ସୁନୀଲ କିରଣ ଗୋସାବୀ ଏବଂ ମନୀଷ । ଏଭଳି ନ ହେଲେ ୩ଜଣ ନିଜର ଦ୍ବିତୀୟ ଯୋଜନା ମୁତାବକ, ଏନସିବିରୁ ଆରୟନଙ୍କୁ ଛଡ଼ାଇବା ପାଇଁ ସିଧା ଶାହରୁଖଙ୍କୁ ୨୫କୋଟି ଟଙ୍କା ମାଗିବେ ବୋଲି ଯୋଜନା କରିଥିଲେ। ହେଲେ ଏନସିବି ସେମାନଙ୍କ ଯୋଜନାକୁ ଅସଫଳ କରିଦେଇଥିଲା। ଏନସିବି ଆରୟନ ଏବଂ ତାଙ୍କ ବନ୍ଧୁମାନଙ୍କୁ ସିଧାସଳଖ ଭାବେ ଗିରଫ କରିବାରୁ ନିଜ ଯୋଜନାରେ ସଫଳ ହୋଇପାରି ନଥିଲେ ସେ ତିନି ଜଣ।
ଯୋଜନା ଅନୁଯାୟୀ, କିରଣ ଗୋସାବୀ ଆରୟନଙ୍କ ମ୍ୟାନେଜର ପୂଜା ଡଡଲାନୀଙ୍କ ସହ ୧୮କୋଟି ଟଙ୍କାର ଚୁକ୍ତି କରିଥିଲେ। ଆରୟନ ଖାନଙ୍କୁ ଚଢ଼ାଉ ସମୟରେ ଖସାଇଦେବାକୁ କହି ସେ ୫୦ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଆରୟନଙ୍କ ସହ କିରଣଙ୍କ ସେଲଫି ସବୁ କିଛି ବିଗାଡି ଦେଇଥିଲା। ଏ ନେଇ ଅନେକ ପ୍ରଶ୍ନ ଉଠିବା ପରେ ସେ ୫୦ଲକ୍ଷ ଟଙ୍କା ସହ ମୁମ୍ବାଇରୁ ଫେରାର ହୋଇଯାଇଥିଲେ। ହେଲେ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା।
କୁହାଯାଉଛି ଯେ, ଏହି ଷଡଯନ୍ତ୍ରର ମାଷ୍ଟରମାଇଣ୍ଡ ହେଉଛନ୍ତି ସୁନୀଲ ପାଟିଲ, ଯିଏ ଅହମ୍ମଦାବାଦରେ ବସି ଏହି ଚକ୍ରବ୍ୟୁହ ରଚିଥିଲେ। ସୁନୀଲ ପାଟିଲ ଏହି କାମ ପାଇଁ, କିରଣ ଗୋସାବି ଏବଂ ମନୀଷ ଭାନୁଶାଲିଙ୍କୁ ବାଛିଥିଲେ। ଏହି ତିନିଜଣ ଚଢ଼ାଉର ବହୁ ପୂର୍ବରୁ ଆରୟନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲେ।