ଆର୍‌ୟାନ୍‌ ବିରୋଧରେ ହୋଇଥିବା ଡ୍ରଗ୍‌ ମାମଲା ଯୋଜନାବଦ୍ଧ: ମୁମ୍ବାଇ ପୁଲିସକୁ କହିଲେ ସାକ୍ଷୀ

ମୁମ୍ବାଇ: ଅର୍ଥ ଉପାର୍ଜନ ପାଇଁ କେତେକ ବ୍ୟକ୍ତି ଚକ୍ରାନ୍ତ କରି ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍‌ୟାନ୍‌ଙ୍କୁ ଡ୍ରଗ୍‌ ମାମଲାରେ ଫସାଇଥିବା କଥା ଅନ୍ୟତମ ସାକ୍ଷୀ ବିଜୟ ପଗାରେ ମୁମ୍ବାଇ ପୁଲିସକୁ କହିଛନ୍ତି।

ବିଜୟ ପଗାରେ କହିଛନ୍ତି, ଡ୍ରଗ୍‌ ମାମଲାରେ ଆର୍‌ୟାନ୍‌ ଖାନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା କଥା ବିଶ୍ବାସ କରିବାକୁ କେତେଗୁଡ଼ିଏ କାରଣ ରହିଛି। ଏଥିପାଇଁ ସେପ୍ଟେମ୍ବର ୨୭ ତାରିଖ ଦିନ ରଣକୌଶଳ ବା ଯୋଜନା ଚୂଡ଼ାନ୍ତ ହୋଇଥିବା ବେଳେ ଅକ୍ଟୋବର ୨ ତାରିଖ ଦିନ ‘କ୍ରୁଜ୍‌ ସିପ୍‌’ରେ ଚଢ଼ାଉ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ନଭେମ୍ବର ୩ ଓ ୪ ତାରିଖରେ ମୁମ୍ବାଇ ପୁଲିସର ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ରେ (ଏସ୍‌ଆଇଟି) ତାଙ୍କ ବୟାନ୍‌ ରେକର୍ଡ କରାଇ ତାଙ୍କୁ ପଢ଼ି ଶୁଣାଇବା ପରେ ସେଥିରେ ତାଙ୍କର ସ୍ବାକ୍ଷର ନେଇଥିଲେ।

ପଗାରେ କହିଛନ୍ତି, ଉଧାର ଦେଇ ଥିବା କିଛି ଟଙ୍କା ଆଦାୟ କରିବା ପାଇଁ ସେ କିଛି ସୁନୀଲ ପାଟିଲ୍‌ଙ୍କ ସହ ରହୁଥିଲେ। ପାଟିଲ୍‌ ‘ଡ୍ରଗ୍‌ ଅନ୍‌ କ୍ରୁଜ୍‌’ ସମ୍ବନ୍ଧୀୟ ସୂଚନା ‘ଏନ୍‌ସିବି’କୁ ଦେଇଥିଲେ। ବ୍ୟବସାୟୀ ସାମ୍‌ ଡି’ସୌଜାଙ୍କ ବିବୃତିରେ ପାଟିଲଙ୍କ ନାମ ଉଲ୍ଲେଖ ରହିଛି। କେ. ପି. ଗୋସାବୀ ପାଟିଲ୍‌ଙ୍କ ନାଁକୁ ‘ଏସ୍‌ଡବ୍ଲୁ’ ଭାବେ ‘ସେଭ୍‌’ କରିଥିଲେ। ଏହାର ଅର୍ଥ ‘ଏନ୍‌ସିବି’ର କ୍ଷେତ୍ରୀୟ ମୁଖ୍ୟ ସମୀର ୱାଙ୍ଖେଡ଼େଙ୍କ ସହ ତାଙ୍କର ପ୍ର‌ତ୍ୟକ୍ଷ ଯୋଗସୂତ୍ର ରହିଛି।

Image Courtesy of The Times of India

ସେପ୍ଟେମ୍ବର ୨୭ ତାରିଖ ଦିନ ବାଶିସ୍ଥିତ ଏକ ଷ୍ଟାର୍‌ ହୋଟେଲ୍ରେ ପାଟିଲ୍‌ ରହୁଥିଲେ। ସେହି ହୋଟେଲ୍‌ର ଆଉ ଗୋଟାଏ କୋଠରି ଗୋସାବୀଙ୍କ ନାମରେ ବୁକ୍‌ କରାଯାଇଥିଲା। ଚଢ଼ାଉ ହେବା ଅଳ୍ପ ଦିନ ପୂର୍ବରୁ ଅନ୍ୟ ଜଣେ ସାକ୍ଷୀ ‘ବିଜେପି’ କର୍ମୀ ମନୀଷ ଭାନୁଶାଲି, ଗୋସାବୀ ଏବଂ ପାଟିଲ୍‌ଙ୍କୁ ଭେଟିଥିବା କଥା ପଗାରେ ଦାବି କରିଛନ୍ତି। ଭାନୁଶାଲି ପାଟିଲ୍‌ଙ୍କୁ ବୋକ ଦେଇ ‘ବଡ଼ କାମ ହୋଇଗଲା’ ବୋଲି କହିବା ବେଳେ ସେ (ପଗାରେ) କୋଠରିରେ ଥିଲେ। ସେ ପୁଣି ପାଟିଲ୍‌ଙ୍କୁ କହିଲେ କି, ଆମେ ଅହମଦାବାଦ ଯିବା କିନ୍ତୁ, ପଗାରେଙ୍କୁ ସାଥିରେ ନେବାନାହିଁ। ଏଇଟା କି, ପ୍ରକାର ଚକ୍ରାନ୍ତ ଚାଲିଥିଲା ସେତେବେଳେ ଜାଣି ପାରି ନ ଥିବା କଥା ପଗାରେ କହିଛନ୍ତି।

ଚଢ଼ାଉ ହେବାର ଅଳ୍ପ କେତେ ସମୟ ପରେ ଅର୍ଥାତ୍‌ ଅକ୍ଟୋବର ୩ ତାରିଖ ଦି ଭାନୁଶାଲି ହୋଟେଲ୍‌ ପ୍ରକୋଷ୍ଠକୁ ଫେରି ଟଙ୍କା ନେବା ପାଇଁ ପଗାରେଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ଦୁହେଁ ‘ଏନ୍‌ସିବି’ ଅଫିସ୍‌କୁ ଗଲେ। ବାଟରେ ଭାନୁଶାଲି କାହା ସହିତ ଫୋନ୍‌ରେ କଥା ହୋଇ ପୂଜା, ସାମ୍‌ ଏବଂ ମୟୂରଙ୍କ ସମେତ ‌ଅନ୍ୟ କେତେକଙ୍କ ନାଁ କହୁଥିଲେ।

ସେ ପୁଣି କହିଛନ୍ତି ଯେ, ଗୋସାବୀଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ତାଙ୍କର ସନ୍ଦେହ ହୋଇଥିଲା ଯେ, ଟଙ୍କା ପାଇବା ପରେ ସେ ନିରୁଦ୍ଦିଷ୍ଟ ହୋଇ ଯାଇଛନ୍ତି। ‘ଏନ୍‌ସିବି’ ଅଫିସରେ ପହଞ୍ଚିବା ପରେ ସେ ସାମ୍ବାଦିକମାନଙ୍କୁ ଦେଖିଲେ ଏବଂ ଆର୍‌ୟନ୍‌ ଖାଁଙ୍କୁ ଅଟକ ରଖାଯାଇଥିବା କଥା ଶୁଣିଲେ। ପରେ ସେ କ୍ରୁଜ୍‌ ପାର୍ଟି ଚଢ଼ାଉ ବିଷୟରେ ‘ନିଉଜ୍‌ କ୍ଲିପ୍‌’ ଦେଖିବା ସହ ଭାନୁଶାଲି ଏବଂ ଗୋସାବୀ ଅଭିଯୁକ୍ତମାନଙ୍କୁ ବାଟ କଢ଼ାଇ ନେଉଥିବା ଦୃଶ୍ୟ ଦେଖିଥିଲେ। ସେତିକି ବେଳେ ତାଙ୍କର ହୃଦ୍‌ବୋଧ ହୋଇଥିଲା କି, ଉକ୍ତ ଚଢ଼ାଉ ଯୋଜନାବଦ୍ଧ ଭାବେ କରାଯାଇଥିଲା।

ସମ୍ବନ୍ଧିତ ଖବର