ବମ୍ବେ ହାଇକୋର୍ଟରେ ଆର୍ୟନ୍ ଖାନ୍‌ଙ୍କ ଓକିଲଙ୍କ ବଳିଷ୍ଠ ଯୁକ୍ତି, ୱାଙ୍ଖଡେଙ୍କ ବୟାନ ରେକର୍ଡ କଲା ଏନ୍‌ସିବି

ମୁମ୍ବାଇ: ବୁଧବାର ବମ୍ବେ ହାଇକୋର୍ଟରେ କ୍ରୁଜ୍ ଡ୍ରଗ୍ ମାମଲାରେ ଗିରଫ ଆର୍ୟନ୍ ଖାନ୍‌, ଆର୍ବାଜ ଖାନ୍ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିବା ବେଳେ ଆର୍ୟନ୍‌ଙ୍କ ଓକିଲଙ୍କ ୬ଟି ବଳିଷ୍ଠ ଯୁକ୍ତି ଶୁଣିବା ପରେ କୋର୍ଟ ଶୁଣାଣିକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ଉଭୟ ଆର୍ୟନ୍ ଓ ଆର୍ବାଜଙ୍କ ତରଫରୁ ବରିଷ୍ଠ ଓକିଲ ଅମିତ ଦେଶାଇ କେସ୍ ଲଢ଼ୁଥିଲେ। ମୁନମୁନଙ୍କ ତରଫରୁ ବରିଷ୍ଠ ଓକିଲ ଅଲି କାଶିଫ ଖାନ୍ ଦେଶମୁଖ ଯୁକ୍ତି ବାଢ଼ୁଥିଲେ। ବୁଧବାର ଅପରାହ୍ଣ ୪ଟାରେ ଶୁଣାଣି ଆରମ୍ଭ ହୋଇଥିଲା। ଦେଶାଇ ଯୁକ୍ତି କରିଥିଲେ ଯେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ନାମରେ କୌଣସି କେସ୍ ନ ଥିବା‌ବେଳେ ତାଙ୍କୁ ଡ୍ରଗ୍ ମାମଲାରେ ୨୦ରୁ ଅଧିକ ଦିନ ହେଲା ହାଜତରେ ରଖାଯାଇଛି।

ଖାନ୍‌ଙ୍କ ଓକିଲ ଅମିତ ଦେଶାଇ ବାଢ଼ିଥିବା ବଳିଷ୍ଠ ଯୁକ୍ତିଗୁଡ଼ିକ ଭିତରେ ଅଛି, ଏନ୍‌ସିବି ପକ୍ଷରୁ ଆର୍ୟନ୍ ଖାନ୍‌ଙ୍କର କୌଣସି ରକ୍ତ ପରୀକ୍ଷା କରାଯାଇ ନାହିଁ। ତେଣୁ ସେ ଡ୍ରଗ୍ ସେବନ କରିଥିଲେ ବୋଲି ପ୍ରମାଣ କରାଯାଇପାରିବ ନାହିଁ। ସୁତରାଂ ଏନ୍‌ସିବି ତାଙ୍କ ମହକିଲଙ୍କୁ ମିଥ୍ୟା ମାମଲାରେ ଫସାଇଥିବା ସ୍ପଷ୍ଟ। ଯଦି ଏନ୍‌ସିବି ଅଧିକାରୀମାନେ ଡ୍ରଗ୍‌ ସେବନକାରୀଙ୍କୁ ଧରିବାକୁ ଯାଇଥିଲେ, ତା’ହେଲେ ସେମାନଙ୍କୁ ସମସ୍ତ ଅଭିଯୁକ୍ତଙ୍କର ରକ୍ତ ପରୀକ୍ଷା କରିବା ଉଚିତ ଥିଲା। ଏହା ହେଉଛି ବିଧି। କିନ୍ତୁ ସେମାନେ କାହାରି ରକ୍ତ ପରୀକ୍ଷା କରିନାହାନ୍ତି। ଓକିଲଙ୍କ ପରବର୍ତ୍ତୀ ଯୁକ୍ତି ହେଲା ତାଙ୍କ ମହକିଲ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି କହି ମାନ୍ୟବର କୋର୍ଟଙ୍କୁ ବିଭ୍ରାନ୍ତ କରାଯାଉଛି। କିନ୍ତୁ ଏନ୍‌ସିବି ପକ୍ଷରୁ କରାଯାଇଥିବା ପ୍ରଥମ ରିମାଣ୍ଡ ଆବେଦନପତ୍ରରେ ଷଡ଼ଯନ୍ତ୍ରର ଧାରା (୨୯)ର ଉଲ୍ଲେଖ ନାହିଁ। ଆଜିପର୍ଯ୍ୟନ୍ତ ଷଡ଼ଯନ୍ତ୍ର ପାଇଁ ଗିରଫ କରାଯାଇ ନାହିଁ ଏବଂ ତାଙ୍କ ମହକିଲଙ୍କୁ ସେଇଥି ପାଇଁ ୨୨ ଦିନ ହେଲା ହାଜତରେ ରଖାଯାଇଛି। ତା’ପରେ ଓକିଲ କହିଥିଲେ ଯେ, ବେଲ୍ ହେଉଛି ନର୍ମ ବା ସ୍ବାଭାବିକ ପରମ୍ପରା ଏବଂ ଜେଲ ହେଉଛି ବ୍ୟତିକ୍ରମ। ଯେହେତୁ ନିଶା ସେବନର ପ୍ରମାଣ ନାହିଁ, ଷଡ଼ଯନ୍ତ୍ର ପାଇଁ କେସ୍ ହୋଇନାହିଁ, ତେଣୁ ତାଙ୍କ ମହକିଲଙ୍କୁ ଜାମିନ ମିଳିବା କଥା।

ଦେଶାଇ କହିଲେ ଯେ, ଯେଉଁଠି ସର୍ବାଧିକ ଦଣ୍ଡ ଏକବର୍ଷ ଜେଲରୁ ଅଧିକ ହୋଇପାରେ, ସେଠାରେ ଜାମିନ ଦିଆଯାଏ ନାହିଁ। ଜାମିନ ଦିଆଗଲେ ବି ତଦନ୍ତକୁ କେହି ଅଟକାଇ ପାରିବେ ନାହିଁ। ତେଣୁ ହାଜତରେ ରଖିବା କି ଦରକାର? ଏନ୍‌ସିବି ହ୍ବାଟ୍‌ସଆପ୍ ଚାଟ୍‌କୁ ପ୍ରମାଣ ଭାବେ ଦର୍ଶାଇ ଆର୍ୟନ୍ ନିଶା ସେବନ କରିବା ଓ ସଂଗ୍ରହ କରିବା ଅଭିଯୋଗ କରିଛି। କିନ୍ତୁ ଏପରି କୌଣସି ହ୍ବାଟ୍‌ସଆପ୍ ଚାଟ୍‌ ନାହିଁ ଯାହାକୁ ଷଡ଼ଯନ୍ତ୍ରର ସ୍ପଷ୍ଟ ପ୍ରମାଣ ଭାବେ ଦର୍ଶାଯାଇପାରିବ। କାରଣ ଯେଉଁ ଚାଟ୍‌କୁ ଏନ୍‌ସିବି ଉଲ୍ଲେଖ କରୁଛି ତାହା ତିନିମାସ ବା ଏକମାସ ତଳର। ଶେଷରେ ଦେଶାଇ କହିଥିଲେ ଯେ ତାଙ୍କ ମହକିଲଙ୍କର ଜାମିନ ପାଇବାର ଅଧିକାର ଅଛି। ଜାମିନ ମିଳିବା ପରେ ତଦନ୍ତ କାର୍ଯ୍ୟରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ୱାଙ୍ଖଡେଙ୍କ ବୟାନ ରେକର୍ଡ କଲା ଏନ୍‌ସିବି
ନୂଆଦିଲ୍ଲୀ: ଏନ୍‌ସିବି ଭିଜିଲାନ୍ସ ଟିମ୍‌ ଏବଂ ମୁମ୍ବାଇ ପୁଲିସର ବରିଷ୍ଠ ଅଫିସର୍‌ମାନେ ଆଜି ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ୱାଙ୍ଖଡେଙ୍କ ବିରୋଧରେ ହୋଇଥିବା ଦାଦାବଟି ଆଦାୟ ଅଭିଯୋଗରେ ବିଭାଗୀୟ ଭିଜିଲାନ୍ସ ତଦନ୍ତ ଅନ୍ତର୍ଗତ ଏନ୍‌ସିବି ଆଜି ସମୀର ୱାଙ୍ଖଡେଙ୍କ ବୟାନ ରେକର୍ଡ କରିଛି। ମୁମ୍ବାଇର ଭିନ୍ନ ଭିନ୍ନ ଥାନାରେ ୱାଙ୍ଖଡେଙ୍କ ବିରୋଧରେ ୪ଟି ମାମଲା ରୁଜୁ ହୋଇଛି। ମୁମ୍ବାଇ ପୁଲିସର ଅଧିକାରୀମାନେ ଏହି ମାମଲାର ତଦନ୍ତ କରିବେ ଏବଂ ରିପୋର୍ଟ ପ୍ରସ୍ତୁତ କରିବେ। ଏନ୍‌ସିବିର ଉତ୍ତରାଞ୍ଚଳ ଉପ ମହାନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂହ କହିଛନ୍ତି, ସେମାନେ ୱା‌ଙ୍ଖଡେଙ୍କ ବୟାନ ରେକର୍ଡ କରିଛନ୍ତି। ଆଜି ସକାଳେ ୫ ଜଣିଆ ସଦସ୍ୟ ବିଶିଷ୍ଟ ଭିଜିଲାନ୍ସ ତଦନ୍ତକାରୀ ଦଳ ମୁମ୍ବାଇରେ ପହଞ୍ଚିଛନ୍ତି ଏବଂ ମାମଲାରେ ତଦନ୍ତ ଆରମ୍ଭ କରିଛନ୍ତି। ୫ ଜଣିଆ ଭିଜିଲାନ୍ସ ଟିମ୍‌ ଏ ବାବଦରେ ଏକ ନିର୍ଦ୍ଧାରିତ ସମୟସୀମା ଭିତରେ ତାଙ୍କ ରିପୋର୍ଟ ଉପସ୍ଥାପନ କରିବେ।

ସମ୍ବନ୍ଧିତ ଖବର