ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ ଆଜି ଜେଲ୍ରୁ ମୁକୁଳିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦.୨୫ ସମୟରେ ଶାହରୁଖଙ୍କ ସୁରକ୍ଷାକର୍ମୀ ଜେଲ୍ରେ ପହଞ୍ଚି ଆର୍ୟନ୍ଙ୍କୁ ଘରକୁ ଫେରାଇ ଆଣିଛନ୍ତି। ଆଜି ସକାଳୁ ଶାହରୁଖ୍ ଖାନ୍ଙ୍କ ଘର ‘ମନ୍ନତ’ ବାହାରେ ଫ୍ୟାନ୍ଙ୍କ ଭିଡ଼ ଜମିଥିଲା ଏବଂ ‘ୱେଲକମ୍ ହୋମ୍ ଆର୍ୟନ୍’ ପୋଷ୍ଟର ଦେଖିବାକୁ ମିଳିଥିଲା। ଢୋଲ ବଜାଇ ଏବଂ ବାଣ ଫୁଟାଇ ପ୍ରଶଂସକମାନେ ଆର୍ୟନ୍ ଖାନ୍ଙ୍କୁ ସ୍ବାଗତ କରିଛନ୍ତି। ମନ୍ନତ ବାହାରେ ପୁରୋହିତମାନେ ହନୁମାନ ଚାଳିଶା ପାଠ କରିଛନ୍ତି। ଆଜି ଅପରାହ୍ନରେ ଆର୍ୟନ୍ ଘରେ ପହଞ୍ଚିଲେ।
ଗୁରୁବାର ଦିନ ବମ୍ବେ ହାଇକୋର୍ଟ ଆର୍ୟନ୍ଙ୍କ ଜାମିନ ମଂଜୁର କରିଥିଲେ। କିନ୍ତୁ ତାଙ୍କୁ ଆଉ ୨ ରାତି ଜେଲ୍ରେ ରହିବାକୁ ପଡ଼ିଥିଲା। ଅକ୍ଟୋବର ୩ ରେ ଆର୍ୟନ୍ ଗିରଫ ହୋଇଥିଲେ। ଦୀର୍ଘ ୨୨ ଦିନ ଜେଲ୍ରେ ରହିବାପରେ ସେ ମୁକୁଳିଛନ୍ତି। କୋର୍ଟ ଆର୍ୟନ୍ଙ୍କୁ ଜାମିନ ଦେବାପାଇଁ ୧୪ଟି ସର୍ତ୍ତ ରଖିଛନ୍ତି। ଜାମିନ ସତ୍ତ୍ବେ ଏନ୍ଡିପିଏସ୍ ଆଇନ ସଂକ୍ରାନ୍ତ କଠୋର ସର୍ତ୍ତ ଲାଗୁ ହୋଇଥବାରୁ ଶାହରୁଖ ଏବଂ ଗୌରୀ ଆର୍ୟନ୍ଙ୍କ ପାଇଁ ଚିନ୍ତିତ ଅଛନ୍ତି। ଏବେ ସେମାନେ ଆର୍ୟନ୍ଙ୍କ ପାଇଁ ଏକ ନୂଆ ରୁଟିନ୍ ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଆର୍ୟନ୍ଙ୍କ ସ୍ବାସ୍ଥ୍ୟ ଚେକ୍ଅପ୍ କରାଯିବ। ଜେଲ୍ରେ ଥିବାବେଳେ ଆର୍ୟନ୍ଙ୍କୁ ବାହାର ଖାଦ୍ୟ ଖାଇବାକୁ ଦିଆଯାଇନାହିଁ। ତେଣୁ ସେ ଜେଲ୍ରେ ଥିବାବେଳେ ଠିକ୍ରେ ଖାଇନାହାନ୍ତି। ଏହା ତାଙ୍କ ମା’ ଗୌରୀଙ୍କର ଚିନ୍ତା ବଢ଼ାଇଛି। ତେଣୁ ପ୍ରଥମେ ତାଙ୍କର ସ୍ବାସ୍ଥ୍ୟ ଚେକ୍ଅପ୍ କରାଯିବ ଏବଂ ତାଙ୍କର ଆରାମ ପାଇଁ ସମସ୍ତ ବନ୍ଦୋବସ୍ତ ହେବ । ଅନ୍ୟପକ୍ଷରେ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଜି ସ୍ବତନ୍ତ୍ର ଏନ୍ଡିପିଏସ୍ ଅଦାଲତ ଡ୍ରଗ୍ ପେଡ୍ଲର ଅଚିତ୍ କୁମାରଙ୍କ ସମେତ ୭ ଜଣଙ୍କ ଜାମିନ ମଂଜୁର କରିଛନ୍ତି।