ଜାମିନ ବଣ୍ଡ୍ରେ ସ୍ୱାକ୍ଷର କଲେ ଜୁହି ଚାୱଲା
ସର୍ତ୍ତ ଉଲ୍ଲଂଘନ କଲେ ଜାମିନ ରଦ୍ଦ ହେବ
ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କ ଜାମିନ ଆଦେଶ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟ ଜାରି କରିଛନ୍ତି। ତେବେ ଏହି ଆଦେଶର କପି ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଆଜି ରାତି ମଧ୍ୟ ଆର୍ଯ୍ୟନ୍ଙ୍କୁ ଆର୍ଥର ରୋଡ୍ ଜେଲ୍ରେ ବିତାଇବାକୁ ପଡ଼ିବ। ଆସନ୍ତାକାଲି ଆର୍ଯ୍ୟନ୍ ଜେଲ୍ରୁ ବାହାରିବେ ବୋଲି ଜଣାପଡ଼ିଛି। ଅଭିନେତ୍ରୀ ଜୁହି ଚାୱଲା ଆଜି ଏନ୍ଡିପିଏସ୍ କୋର୍ଟରେ ପହଞ୍ଚି ଆର୍ୟନ ଖାନ୍ଙ୍କ ଜାମିନ ବାବଦରେ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡ ଜମା କରିଥିଲେ ଏବଂ ସମସ୍ତ ଔପଚାରିକତା ପୂରଣ କରିଥିଲେ। ବିଚାରପତି ଜୁହିଙ୍କୁ ପଚାରିଥିଲେ ଆପଣ କାହାକୁ ଜାମିନରେ ନେବାକୁ ଆସିଛନ୍ତି। ଏହାର ଉତ୍ତରରେ ଜୁହି କହିଥିଲେ ମୁଁ ଆର୍ୟନଙ୍କୁ ଜାମିନରେ ନେଉଛି ଏବଂ ଛୋଟ ବେଳୁ ତାଙ୍କୁ ଜାଣିଛି। ଆଜି ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନଙ୍କ ସମେତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ୍ ଏବଂ ମଡେଲ ମୁନମୁନ ଧାମେଚାଙ୍କର ମଧ୍ୟ ଜାମିନ ଆଦେଶ ଜାରି କରିଛନ୍ତି। ସମସ୍ତ ୩ ଜଣଙ୍କୁ ଗତକାଲି ଜାମିନ ମିଳିଥିଲା।
ବମ୍ବେ ହାଇକୋର୍ଟ ଆର୍ୟନ୍ଙ୍କୁ ୧୪ଟି ସର୍ତ୍ତରେ ଜାମିନ ଦେଇଛନ୍ତି
ଆର୍ୟନ୍ ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ସମାନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେନି
ଏମିତି କୌଣସି କାର୍ଯ୍ୟ କରିବେନି ଯାହାଦ୍ବାରା ଏନ୍ଡିପିଏସ୍ ଆଇନ ଅଧୀନରେ ବିଚାରଣରେ ବାଧା ସୃଷ୍ଟି ହେବ
ସାକ୍ଷୀଙ୍କୁ ପ୍ରଭାବିତ କରିବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବାକୁ କୌଣସି ପ୍ରୟାସ କରିବେ ନାହିଁ
ସ୍ବତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡ଼ିବ
କୋର୍ଟ ବିଚାରଣ ସଂକ୍ରାନ୍ତରେ ଗଣମାଧ୍ୟମରେ କୌଣସି ବିବୃତି ରଖିବେନି
ଏନ୍ଡିପଏସ୍ ସ୍ବତନ୍ତ୍ର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେନି
ଯଦି ଗ୍ରେଟର ମୁମ୍ବାଇ ବାହାରକୁ ଯିବେ ତେବେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ପଡ଼ିବ।
ପ୍ରତି ଶୁକ୍ରବାର ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏନ୍ସିବି ମୁମ୍ବାଇ ଅଫିସ୍ରେ ହାଜର ହେବେ
କୋର୍ଟରେ ସମସ୍ତ ଡେଟ୍ରେ ହାଜର ହେବେ
ଯେତେବେଳେ ଏବଂ ଯେକୌଣସି ସମୟରେ ଡକାଯିବ ତଦନ୍ତ ପାଇଁ ଏନ୍ସିବି ଅଧିକାରୀଙ୍କ ପାଖରେ ହାଜର ହେବେ
ଥରେ ବିଚାରଣ ଆରମ୍ଭ ହେବାପରେ ବିଚାରଣକୁ ବିଳମ୍ବିତ କରିବାକୁ ଚେଷ୍ଟା କରିବେନି
ଯଦି ଆର୍ୟନ ଏବଂ ଅନ୍ୟ ଅଭିଯୁକ୍ତମାନେ କୌଣସି ସର୍ତ୍ତର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଜାମିନ ବାତିଲ କରାଯିବ।