ଏନ୍‌ସିବି ଦ୍ବାରା ଆର୍ୟନ୍‌ଙ୍କ ବ୍ୟାଙ୍କ ଖାତା ତଲାସି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମୁମ୍ବାଇ ଉପକୂଳରେ ଜାହାଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ବର୍ତ୍ତମାନ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁତ୍ର ଆର୍ୟନ୍ ଖାନ୍‌ଙ୍କ ବ୍ୟାଙ୍କ ଖାତା ତଲାସି କରୁଛି। ଡ୍ରଗ୍ସ କିଣାକିଣିରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ ଏନ୍‌ସିବି ତାହା ଜାଣିବା ପାଇଁ ଚାହୁଛି। ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖ‌େଡ଼େ ବରିଷ୍ଠ ଆଇନ ପରାମର୍ଶଦାତାମାନଙ୍କ ସହ ଏକ ବୈଠକ କରିଥିଲେ। ଏଥିରେ ବମ୍ବେ ହାଇକୋର୍ଟରେ ଆର୍ୟନ୍‌ଙ୍କୁ ଜାମିନ ନ ଦେବା ପାଇଁ ଏଜେନ୍ସି ଦାବି କରିବ ବୋଲି ଜଣାପଡ଼ିଛି। ଆର୍ୟନ୍ ଡ୍ରଗ୍ସ କେବଳ ନିଜେ କିଣି ବ୍ୟବହାର କରୁଥିଲେ ନା ସାଙ୍ଗମାନଙ୍କୁ ଦେଉଥିଲେ, କେତେ ପରିମାଣରେ ଡ୍ରଗ୍ସ କିଣୁଥିଲେ ଏବଂ ଡ୍ରଗ୍ସ କିଣାକିଣିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଭଳି ବ୍ୟବହାର କରୁଥିଲେ ତାହା ଜାଣିବା ପାଇଁ ତଦନ୍ତକାରୀ ସଂସ୍ଥା ତାଙ୍କର ବ୍ୟାଙ୍କ ବିବରଣୀ ତନଖି କରୁଥିବା ସୂଚନା ମିଳିଛି।

ଆର୍ୟନ୍‌ଙ୍କ ଗିରଫ ପରେ ତାଙ୍କ ବାନ୍ଧବୀ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ବର୍ତ୍ତମାନ ଏନ୍‌ସିବି ସ୍କାନର୍‌ରେ ରହିଛନ୍ତି। ଆର୍ୟନ୍‌ଙ୍କ ସହ ତାଙ୍କର ହ୍ବାଟ୍ସଆପ୍ ଚାଟ୍‌କୁ ନେଇ ଶୁକ୍ରବାର ତାଙ୍କୁ ଚାରିଘଣ୍ଟା ଜେରା କରାଯାଇଥିଲା। ସୋମବାର ପୁଣି ଅନନ୍ୟାଙ୍କୁ ଡକାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଅନନ୍ୟା କୁଆଡ଼େ କହିଥିଲେ ଯେ ସେ ଜଣଙ୍କୁ ଜାଣନ୍ତି ଯିଏ ମଝିରେ ମଝିରେ ଆର୍ୟନ୍‌ଙ୍କୁ ଡ୍ରଗ୍ସ ଯୋଗାନ୍ତି। ଏନ୍‌ସିବି ଟିମ୍ ଗୁରୁବାର ଶାହରୁଖ ଖାନ୍‌ଙ୍କ ଘରକୁ ଯାଇଥିଲେ ଆର୍ୟନ୍‌ଙ୍କର କିଛି ଡକୁମେଣ୍ଟ ସଂଗ୍ରହ କରିବା ପାଇଁ। କିନ୍ତୁ ‘ମନ୍ନତ’ରେ କୌଣସି ଚଢ଼ାଉ କରାଯାଇ ନ ଥିଲା। ସେହି ଏକା ଦିନ ଅନନ୍ୟା ପାଣ୍ଡେଙ୍କ ବାନ୍ଦ୍ରା-ସ୍ଥିତ ବାସଭବନରେ ଖାନ୍‌ତଲାସି କରାଯାଇଥିଲା। ତାଙ୍କ ଘରୁ କିଛି ଦଲିଲ ସଂଗ୍ରହ କରିବା ପାଇଁ ଏଜେନ୍ସି ଯାଇଥିଲା। ଅକ୍ଟୋବର ୨୧ରେ ସ୍ବତନ୍ତ୍ର କୋର୍ଟ ଆର୍ୟନ୍‌ ଓ ଅନ୍ୟ ୭ ଜଣଙ୍କ ବିଚାରବିଭାଗୀୟ ହାଜତ ରହଣି ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଆର୍ୟନ୍‌ ଜାମିନ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର