ଆରୟନଙ୍କ ହାଜତ ମିଆଦ ଅକ୍ଟୋବର ୩୦କୁ ବୃଦ୍ଧି

ମୁମ୍ବାଇ :  କ୍ରୁଜ ଜାହାଜରେ ଡ୍ରଗ୍ସ ସେବନ ମାମଲାରେ ଗିରଫ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କ ହାଜତ ମିଆଦ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ତାଙ୍କ ହାଜତ  ମିଆଦକୁ ବଢାଇଦେଇଛନ୍ତି । ଫଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ହାଜତରେ ରହିବେ ଆରୟନ ।

ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ବମ୍ବେ ହାଇକୋର୍ଟରେ ଆରୟନଙ୍କ ଜାମିନ ଆବେଦନର ଶୁଣାଣିକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ ।

ଆଜି ଶାହାରୁଖ ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ଥିବା ନିଜ ପୁଅ ଆରୟନକୁ ଦେଖିବାକୁ ଯାଇଥିଲେ । ଏହାର କିଛି ଘଣ୍ଟା ପରେ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ)ର କିଛି ଅଧିକାରୀ ଶାହରୁଖଙ୍କ ଘର ମନ୍ନତକୁ ଯାଇଥିଲେ । ତେବେ ଏହା ଏକ ଚଢଉ ନଥିଲା ବୋଲି ଏନସିବି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩ରେ ଆରୟନ ଖାଁ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା ଗିରଫ ହୋଇଥିଲେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜ କୋର୍ଡେଲିଆରେ ଡ୍ରଗ୍ସ ରଖିବା ଓ ସେବନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ତେବେ ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥିଲା । ଗତକାଲି ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ ।

ସମ୍ବନ୍ଧିତ ଖବର