ନୂଆଦିଲ୍ଲୀ : ବିଶ୍ବର ଜନସଂଖ୍ୟା ୮ ଶହ କୋଟି ଟପିଯାଇଛି ବୋଲି ମିଳିତ ଜାତିସଂଘ ଘୋଷଣା କରିଛି । ତେବେ ବିଶ୍ବର ୮ ଶହ କୋଟିତମ ଶିଶୁ କିଏ ତାହା ଜାଣିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଏହି ଶିଶୁ ଫିଲିପାଇନ୍ସର ମାନିଲାରେ ଜନ୍ମଗ୍ରହଣ କରିଛି । ମାନିଲାରେ ଥିବା ଡ. ଜୋସ ଫାବେଲା ମେମୋରିଆଲ ହସପିଟାଲରେ ରାତି ସାଢେ ୧ଟାରେ ( ସ୍ଥାନୀୟ ସମୟ) ରେ ଜନ୍ମଗ୍ରହଣ କରିଥିବା ଭିନିସ ମାବାନସାଗ୍ ହେଉଛି ସେହି ଶିଶୁ ।
ଗତ ୨୦୧୧ରେ ବିଶ୍ବର ଜନସଂଖ୍ୟା ୭ ଶହ କୋଟି ଟପିଯାଇଥିଲା । ବାଂଲାଦେଶର ସାଦିଆ ସୁଲତାନା ଓଇସି ବିଶ୍ବର ୭ ଶହ କୋଟିତମ ଶିଶୁ । ତାକୁ ଏବେ ୧୧ ବର୍ଷ ହୋଇଛି । ସେହିପରି ବସନିଆ ହର୍ଜିଗୋଭିନାରେ ଜନ୍ନ ନେଇଥିବା ୨୩ ବର୍ଷୀୟ ଅଦନାନ ମେଭିକ୍ ହେଉଛନ୍ତି ୬ ଶହ କୋଟିତମ ମଣିଷ ।
ଜାତିସଂଘର ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ସୁଦ୍ଧା ପ୍ରାୟ ୮୫୦ କୋଟି ଓ ୨୦୫୦ ସୁଦ୍ଧା ୯୭୦ କୋଟିରେ ପହଞ୍ଚିବ ଏବଂ ତା'ପରେ ୨୦୮୦ ଦଶକରେ ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏବଂ ତା'ପରେ ବିଶ୍ବର ଜନସଂଖ୍ୟା ସ୍ଥିର ହୋଇଯିବ ଓ ୨୦୮୦ରୁ ୨୧୦୦ ପର୍ୟ୍ୟନ୍ତ ଜନସଂଖ୍ୟା ସ୍ଥିର ରହିବ ।