‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ପୋଷ୍ଟ୍ କରିଥିବା ପୁରୁଣା ଟୁଇଟ୍ ଭାଇରାଲ୍ ହେବାରୁ ‘ବିଜେପି’ ନେତ୍ରୀ ଖୁସ୍ବୁ ସୁନ୍ଦରଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ‘ବିଜେପି’ ନେତ୍ରୀ ଖୁସ୍ବୁ ସୁନ୍ଦର କିଛି ବର୍ଷ ତଳେ କରିଥିବା ଗୋଟାଏ ‘ଟୁଇଟ୍ ପୋଷ୍ଟ୍’ ଏବେ ପୁଣି ଉକ୍ତ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ପୂର୍ବତନ କଂଗ୍ରେସ ସଦସ୍ୟ ଖୁସ୍ବୁ ୨୦୧୮ ଫେବ୍ରୁଆରି ୧୫ ତାରିଖରେ ପୋଷ୍ଟ୍ କରିଥିବା ଉକ୍ତ ‘ଟୁଇଟ୍’ରେ କହିଥିଲେ, ଏଠାରେ ମୋଦୀ, ସେଠାରେ ମୋଦୀ ଯେଉଁଠି ଦେଖ ମୋଦୀ। କିନ୍ତୁ ମୋଦୀ ଅର୍ଥ କ’ଣ? ମୋଦୀ ଆଗରେ ଭ୍ରଷ୍ଟାଚାର ସାଙ୍ଗିଆ ଯୁକ୍ତ ହୋଇଛି। ତେଣୁ, ଏ କଥା ଅବୁଝା ନୁହେଁ ଯେ, ମୋଦୀର ଅର୍ଥ ଭ୍ରଷ୍ଟାଚାର। ତେଣୁ, ମୋଦୀର ଅର୍ଥ ଭ୍ରଷ୍ଟାଚାର କରିଦେଲେ ଭଲ ହେବ। ନିରବ, ଲଳିତ, ନମୋ ଅର୍ଥ ଦୁର୍ନୀତି ବା ଭ୍ରଷ୍ଟାଚାର।
‘ମୋଦୀ’ ସାଙ୍ଗିଆ ଉପରେ ମନ୍ତବ୍ୟ ଦେଇ ରାହୁଲ୍ ଗାନ୍ଧୀ ସଂସଦରୁ ସଦସ୍ୟତା ପଦ ହରାଇଥିବା ବେଳେ ଖୁସ୍ବୁଙ୍କର ଏହି ପୁରୁଣା ଟୁଇଟ୍କୁ କେନ୍ଦ୍ର କରି ତାଙ୍କର ପୁରାତନ କଂଗ୍ରେସ ସହକର୍ମୀମାନେ ବିଦ୍ରୂପ ଆରମ୍ଭ କରିଦେଇଛନ୍ତି।

କଂଗ୍ରେସ ସାଂସଦ ଶଶୀ ଥରୁର୍ ଟୁଇଟ୍ କରି ଲେଖିଛନ୍ତି: ସେ ‘ଟୁଇଟ୍’ ବେଶୀ ପୁରୁଣା ହୋଇନାହିଁ। କିନ୍ତୁ, ଏକଥା ସୁନିଶ୍ଚିତ ଯେ, ‘ବିଜେପି’ର ବିଧାୟକମାନେ ସେମାନଙ୍କର ନିଜ ମୁଖପାତ୍ରୀଙ୍କ ନାଁରେ ମାମଲା ରୁଜୁ କରିବେ ନାହିଁ। (ସୂଚନାଯୋଗ୍ୟ, ସମ୍ପତ୍ରି ଖୁସ୍ବୁ ‘ବିଜେପି’ର ମୁଖପାତ୍ରୀ ଅଛନ୍ତି।)
ଟୁଇଟ୍ କରି କଂଗ୍ରେସ ନେତା ଦିଗ୍ବିଜୟ ସିଂହ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି, ମୋଦୀ ସାଙ୍ଗିଆଧାରୀ କୌଣସି ଶିଷ୍ୟଙ୍କୁ କ’ଣ ଆପଣ ଖୁସ୍ବୁ ସୁନ୍ଦରଙ୍କ ନାମରେ ମାନହାନି ମାମଲା କରିବାକୁ କହିବେ?
୨୦୨୦ରେ କଂଗ୍ରେସ ପରିତ୍ୟାଗ କରି ‘ବିଜେପି’ରେ ଯୋଗ ଦେଇଥିବା ସୁନ୍ଦର ବିରୋଧୀ ଦଳକୁ ପାଲଟା ସମାଲୋଚନା କରି ଶନିବାର ଦିନ କହିଛନ୍ତି ଯେ, ସେତେବେଳେ ସେ ‘ନେତାଙ୍କ କଥା’ କହୁଥିଲେ। କାରଣ ତାଙ୍କୁ ସେମିତି କହିବାକୁ ନିର୍ଦେଶ ଥିଲା। ୫ ବର୍ଷର ପୁରାତନ ଏହି ସାମାଜିକ ଗଣମାଧ୍ୟମ ପୋଷ୍ଟ୍କୁ ସେ ଡିଲିଟ୍ କରିନାହାନ୍ତି କି, କରିବେ ନାହିଁ ମଧ୍ୟ।