ମୋଦୀ ସରକାର ଉପରେ ଆକ୍ରମଣ ପାଇଁ କଂଗ୍ରେସ ଚଳାଇଛି ପ୍ରସ୍ତୁତି; ବିଦେଶ ଗସ୍ତରେ ଗଲେ ରାହୁଲ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ଆୟୂଧ କରି ବିରୋଧୀ କଂଗ୍ରେସ କେନ୍ଦ୍ରରେ କ୍ଷମତାସୀନ ମୋଦୀ-୨ ସରକାର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି। ଏହିକ୍ରମରେ ତମାମ୍‌ ଦେଶରେ ଆସନ୍ତା ଶୁକ୍ରବାର ଠାରୁ ଜାତୀୟ ସ୍ତରରେ ବ୍ୟାପକ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ ସହ ସମ୍ବାଦିକ ସମ୍ମଳନୀ ଆୟୋଜନ କରି ଜନସାଧାରଣଙ୍କୁ ସଚେତନ କରିବା ପାଇଁ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ, କଂଗ୍ରେସ ଏସବୁ ଆରମ୍ଭ କରିବାର ଠିକ୍‌ ଅବ୍ୟବହିତ ପୂର୍ବରୁ ଦଳର ପ୍ରମୁଖ ନେତା, ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଦେଶ ଛାଡ଼ି ବିଦେଶ ଗସ୍ତରେ ଯିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି।

ଅପରପକ୍ଷରେ ରାହୁଲ କାହିଁକି, କେଉଁ ଉଦ୍ଦେଶ୍ୟରେ ବିଦେଶ ଗସ୍ତରେ ଯାଇଛନ୍ତି ଓ କେବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ, ସେସଂପର୍କରେ କଂଗ୍ରେସର କୌଣସି ବରିଷ୍ଠ ନେତା କିଛି ବି ହେଲେ କହିପାରୁ ନାହାନ୍ତି। ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ଜାତୀୟ ସ୍ତରରେ ବ୍ୟାପକ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ ସହ ବିଭିନ୍ନ ରାଜ୍ୟରେ ୩୫ଟି ସମ୍ବାଦିକ ସମ୍ମଳନୀ ଆୟୋଜନ କରି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଯୋଜନା ରଖିଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ, ରାହୁଲଙ୍କ ଅନୁପସ୍ଥିତିରେ ଏକେ ଆଣ୍ଟୋନି, ମଲ୍ଲିକାର୍ଜୁନ ଖାର୍ଗେ, ଗଲାମ ନବୀ ଆଜାଦ୍‌, ଅମ୍ବିକା ସୋନି, ଅଜେୟ ମେକନ୍‌, ମୁକୁଲ ୱାସନିକ୍‌, ମନୀଷ ତିୱାରୀ ଓ ଅଭିଷେକ ମନୁ ସିଂହଭୀ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିବା ସହ ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ରଖିବେ।

ସମ୍ବନ୍ଧିତ ଖବର