ନୂଆଦିଲ୍ଲୀ : ଚୀନ ଓ ଆମେରିକାରେ କରୋନା ସଂକ୍ରମଣ ଚିନ୍ତାଜନକସ୍ଥିତିରେ ପହଞ୍ଚିବା ପରେ ସତର୍କ ହୋଇଯାଇଛନ୍ତି ଭାରତ ସରକାର । ସ୍ଥାନୀୟ ସ୍ତରରେ ସ୍ଥିତି ଉପରେ ନଜର ରଖିବାକୁ ଓ ସବୁ ମାମଲା ଜିନୋମ ସିକ୍ବେନ୍ସି କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ତରଫରୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)କୁ ଏକ ଚିଠି ଲେଖାଯାଇଛି । ଏଥିରେ କୁହାଯାଇଛି ଯେ ଜିନୋମ୍ ସିକ୍ୱେନ୍ସିଂ ଉପରେ ସମସ୍ତ ରାଜ୍ୟମାନଙ୍କୁ ଗୁରୁତ୍ୱ ଦେବାକୁ ପଡିବ। କୋଭିଡର ନୂଆ ନୂଆ ଭାରିଆଣ୍ଟ ଉପରେ ନଜର ରଖିବାକୁ ଏପରି କରିବାକୁ ହେବ । ସମୟ ଥାଉ ଥାଉ ଯଦି ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରବ, ତେବେ କରୋନାକୁ ଅଟକାଇ ହେବ ।

ବର୍ତ୍ତମାନ ଦେଶରେ କରୋନାର ଅନେକ ମାମଲା ନାହିଁ, ମୃତ୍ୟୁ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । କିନ୍ତୁ ଏହି ଭୂତାଣୁ ସମଗ୍ର ବିଶ୍ୱରେ ପୁନର୍ବାର ବ୍ୟାପିବାରେ ଲାଗିଥିବାରୁ ସରକାର ମଧ୍ୟ କୌଣସି ଅବହେଳା କରିବାକୁ ଚାହାଁନ୍ତି ନାହିଁ ।

ଏବେ ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ କରୋନାର ୧୨୦୦ ଟି ନୂତନ ମାମଲା ରିପୋର୍ଟ କରାଯାଉଥିବାବେଳେ ବିଶ୍ୱବ୍ୟାପୀ ସାପ୍ତାହିକ ୩୫ ଲକ୍ଷ ମାମଲା ରିପୋର୍ଟ କରାଯାଉଛି । ଏଣୁ କରୋନାକୁ ନେଇ ନିଶ୍ଚିନ୍ତ ହେବାର ସମୟ ଆସିନାହିଁ ।