ଆସାମ ବନ୍ୟାରେ ୪୩ଲକ୍ଷ ପ୍ରଭାବିତ: ୭୨ ଜଣଙ୍କ ମୃତ୍ୟୁ, ୨ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଶାହ

ଗୌହାଟୀ: ଆସାମରେ ବନ୍ୟା ସ୍ଥିତି ଜଟିଳ। ୩୩ ଜିଲ୍ଲାର ପ୍ରାୟ ୪୩ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପାଖାପାଖି ଅଧା ଲୋକ ଆସାମର ପଶ୍ଚିମରେ ଅବସ୍ଥିତ ଜିଲ୍ଲାର। ସେହି ଜିଲ୍ଲାଗୁଡ଼ିକ ହେଲା ବାର‌େପଟା, ବକ୍ସା, ଗୋଲପଡ଼ା ଓ କାମରୁପ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା ସ୍ଥିତି ସମୀକ୍ଷା କରି ଖାଦ୍ୟ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀର ଏୟାର ଡ୍ରପିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟାରେ ରାଜ୍ୟରେ ୩ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ପୁଲିସ ରହିଛନ୍ତି। ଆସାମ ଓ ମେଘାଳୟର ବନ୍ୟା ସ୍ଥିତି ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଓ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ସହିତ କଥା ହୋଇ ଆଶ୍ବାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ବିଶ୍ବ ଶର୍ମା ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଡେପୁଟି କମିସନରଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଠାରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ ସେନା, ଏନ୍‌ଡିଆର୍‌ଏଫ୍‌ କିମ୍ବା ଏସ୍‌ଡିଆର୍‌ଏଫ୍‌ ଡଙ୍ଗା ପହଞ୍ଚିବାରେ ସକ୍ଷମ ହୋଇନାହିଁ ସେ ଅଞ୍ଚଳରେ ରିଲିଫ ସାମଗ୍ରୀର ଏୟାରଡ୍ରପିଂ କରାଯିବା ଆବଶ୍ୟକ। ଆଗାମୀ କିଛି ଦିନ ଧରି ଜିଲ୍ଲାସ୍ତରୀୟ ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖିବା ଉଚିତ୍। ଏହାଛଡ଼ା ବନ୍ୟା ଜଳ ହ୍ରାସ ପାଇବା ମାତ୍ରେ କ୍ଷୟକ୍ଷତିର ତୁରନ୍ତ ମୂଲ୍ୟାଙ୍କନ ଆରମ୍ଭ କରିବାକୁ ସେ ଜିଲ୍ଲା ଡେପୁଟି କମିସନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର