ଭାରତକୁ ସହାୟତା ସାମଗ୍ରୀ ଭରା ବିମାନ ପଠାଇଲା ରୁଷ୍‌; ପୁତିନ୍‌ଙ୍କ ସହ ‘ସ୍ପୁଟ୍‌ନିକ୍‌-୫’ ଟିକା ପ୍ରସଙ୍ଗରେ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ: ‘ଐତିହାସିକ’ ବନ୍ଧୁତ୍ବର ସତ୍ୟତା ବଜାୟ ରଖି ରୁଷ୍‌ ବୁଧବାର ଦିନ ଦୁଇଟି ବିମାନରେ ଭାରତ ପାଇଁ ମାନବୀୟ ସହାୟତା ପ୍ରେରଣ କରିଛି। ସାମ୍ପ୍ରତିକ କୋଭିଡ୍‌ ବିରୋଧୀ ସଂଗ୍ରାମରେ ଏହି ସାମଗ୍ରୀଗୁଡ଼ିକ ଭାରତକୁ ସାହାଯ୍ୟ କରିବ।

ବିମାନ ଦୁଇଟି ଗନ୍ତବ୍ୟ ପଥରେ ଯାତ୍ରା କରୁଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌‌ ଯୋଗେ ଭାରତରେ କୋଭିଡ୍‌-୧୯ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ।

ଏ ସଂକ୍ରାନ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭାରତବାସୀ ଓ ଭାରତ ସରକାରଙ୍କ ପ୍ରତି ରାଷ୍ଟ୍ରପତି ପୁତିନ୍‌ ସହଯୋଗ ବ୍ୟକ୍ତ କରି ଜଣାଇଛନ୍ତି ଯେ, ଏ ବାବଦରେ ରୁଷ୍‌ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁତିନ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଗୁରୁତ୍ବାରୋପ କରି କହିଲେ ଯେ, ଭାରତ ପାଇଁ ରୁଷ୍‌ର ଏହି ତ୍ବରିତ ସହାୟତା ହେଉଛି ଆମ ପୁରାତନ ବନ୍ଧୁତ୍ବର ସଙ୍କେତ।

Image Courtesy of India Today

ଏହା ବ୍ୟତିରେକେ, ଦୁଇ ନେତା ଭାରତରେ ‘ସ୍ପୁଟ୍‌ନିକ୍‌-୫’ ଟିକାର ଜରୁରୀକାଳୀନ ବ୍ୟବହାର ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ। ମେ ୧ରୁ ଭାରତରେ ରୁଷୀୟ କୋଭିଡ୍‌ ଟିକା ‘ସ୍ପୁଟ୍‌ନିକ୍‌-୫’ ମିଳିବ।

ପ୍ରାପ୍ତ ସୂଚନା ଅନୁସାରେ, ରୁଷୀୟ ରାଷ୍ଟ୍ରସଂଘର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରାଳୟ ରୁଷୀୟ ‘ଏମର୍‌କମ୍‌’ ଜରିଆରେ ଦୁଇଟି ଜରୁରୀକାଳୀନ ବିମାନ ପ୍ରେରଣ କରିଛି। ଏଥିରେ ୨୦ଟି ଅକ୍ସିଜେନ୍‌ ଉତ୍ପାଦନକାରୀ ଉପକରଣ, ୭୫ଟି କୃତ୍ରିମ ଫୁସ୍‌ଫୁସ୍‌ ଭେଣ୍ଟିଲେସନ୍‌ ଯନ୍ତ୍ର, ୧୫୦ ମେଡିକାଲ୍‌ ମନିଟର୍ ଏବଂ ୨୦୦୦୦୦ ପ୍ୟାକେଜ୍‌ ଔଷଧ ସମେତ ୨୨ ଟନ୍‌ର ମାନବୀୟ ସହାୟତା ରହିଛି।

Image Courtesy of India Today

ଗତ ବିଳମ୍ବିତ ରାତ୍ରରେ ଦ୍ବିତୀୟ ବିମାନଟି ଭାରତରେ ଅବତରଣ କରିବା ପରେ ଭାରତରେ ଥିବା ରୁଷ୍‌ର ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍‌ କହିଲେ, ଗତବର୍ଷ ମହାମାରୀ ବ୍ୟାପିଥିବା ବେଳେ ଶୁଭେଚ୍ଛାର ନିଦର୍ଶନାସ୍ବରୂପ ଭାରତ ରୁଷ୍‌ ନିମନ୍ତେ ତୁରନ୍ତ ‘ହାଇଡ୍ରୋକ୍ଲୋରୋକ୍ବିନ୍‌’ ପଠାଇଥିଲା। ତାହାକୁ ଆମେ ସାଦର ଗ୍ରହଣ କରିବା ସହ ମନେରଖିଛୁ। କରୋନାଭାଇରସ୍‌କୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ଐକ୍ୟବଦ୍ଧ ଉଦ୍ୟମ ଓ ଅସୁବିଧା ସମୟରେ ପରସ୍ପରକୁ ସହାୟତା ପ୍ରଦାନ। ଯେକୌଣସି ଆହ୍ବାନକୁ ମୁକାବିଲା କରିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଜିନିଷଟି ହେଉଛି ସମ୍ମିଳିତ ଉଦ୍ୟମ ଓ ପାରସ୍ପରିକ ସମ୍ମାନବୋଧ।

ସମ୍ବନ୍ଧିତ ଖବର