ନୂଆଦିଲ୍ଲୀ: ପ୍ରକୃତିର ମେହେନ୍ତର କୁହାଯାଉଥିବା ଶାଗୁଣାଙ୍କ ବଂଶକ୍ଷୟ ଯୋଗୁ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆମେରିକୀୟ ଅର୍ଥନୈତିକ ସମୀକ୍ଷାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଶାଗୁଣାଙ୍କ ସଂଖ୍ୟା ହ୍ରାସ ହେତୁ ୨୦୦୦ରୁ ୨୦୦୫ ମଧ୍ୟରେ ପାଖାପାଖି ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବା ସହ ୭୦ ବିଲିୟନ ଡଲାରର ଆର୍ଥିକ କ୍ଷତି ହୋଇଥିଲା। ୧୯୯୪ ମସିହାରେ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଯନ୍ତ୍ରଣା ଓ ପ୍ରଦାହ ନିବାରକ ଔଷଧ ଡାଇକ୍ଲୋଫିନାକ୍ ଏହି ପକ୍ଷୀମାନଙ୍କ ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ଗୋରୁଗାଈ ଏହି ଔଷଧ ଖାଇବା ପରେ ଔଷଧର ଅବଶେଷ ତାଙ୍କ ଶରୀରରେ ରହିଯାଏ। ମଲା ପରେ ସେହି ଗୋରୁଗାଈଙ୍କ ମାଂସ ଖାଇ ଶାଗୁଣାମାନଙ୍କ କିଡ୍‌ନୀ ଅଚଳ ହୋଇଯିବା ଯୋଗୁ ବହୁସଂଖ୍ୟାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଗବେଷକମାନେ କହିଛନ୍ତି। ଶାଗୁଣାମାନେ ମୃତ ପଶୁମାନଙ୍କୁ ଖାଇ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରନ୍ତି। ସେଥିପାଇଁ ସେମାନଙ୍କୁ ପ୍ରକୃତିର ମେହେନ୍ତର କୁହାଯାଏ।

Advertisment

କିନ୍ତୁ ଏହି ଶାଗୁଣାଙ୍କ ବଂଶ କ୍ଷୟ ହେବା ଫଳରେ ପଶୁମାନଙ୍କ ମଲାଦେହ ପଡ଼ିରହିଲା। ଫଳରେ ଜୀବାଣୁ ବଢ଼ିବାକୁ ଆରମ୍ଭ କଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ସରକାର ଏହି ସମସ୍ୟାର ସମାଧାନ ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିବାକୁ ଅନୁମତି ଦେଲେ। ପଚାଶଢ଼ା ପ୍ରାଣୀଙ୍କ ଦେହ ଓ ଅଳିଆ-ଆବର୍ଜନାରୁ ଦୁର୍ଗନ୍ଧ ଓ ରୋଗ ନ ବ୍ୟାପିବା ପାଇଁ ସରକାର ଯେଉଁ ରାସାୟନିକ ଓ ତରଳ ଦ୍ରବ୍ୟ ବ୍ୟବହାର କଲେ ତାହା ବର୍ଷାଜଳରେ ବୋହି ସ୍ଥାନୀୟ ନଦୀଜଳକୁ ଅଧିକ ପ୍ରଦୂଷିତ କଲା। ଫଳରେ ରୋଗ ସଂକ୍ରମଣ ବୃଦ୍ଧି ପାଇଲା। କୁକୁରମାନେ ମଢ଼ ନିକଟରେ ଜମା ହୋଇ ରହିବା ଫଳରେ ରୋଗ ଆହୁରି ବ୍ୟାପିଥିଲା। ଏହି ଅଧ୍ୟୟନରେ ସମସ୍ତ କ୍ଷେତ୍ରରେ ମଣିଷର ମୃତ୍ୟୁ ହାରକୁ ତୁଳନା କରାଯାଇ ୧୯୯୪ରେ ଡାଇକ୍ଲୋଫିନାକ୍ ବ୍ୟବହାରର ପୂର୍ବ ଓ ପରର ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ ପଶୁ ଚିକିତ୍ସାରେ ଏହି ଯନ୍ତ୍ରଣାନିବାରକ ଔଷଧର ବ୍ୟବହାର ପରେ ମାନବ ମୃତ୍ୟୁହାର ୪% ବୃଦ୍ଧି ପାଇଥିଲା।

୨୦୦୦ରୁ ୨୦୦୫ ମଧ୍ୟରେ ଏହି ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି ପାଇଛି। ଏହି ଅଧ୍ୟୟନର ସହ-ଲେଖକ ଇୟାଲ ଫ୍ରାଙ୍କ ସିକାଗୋ ବିଶ୍ୱବିଦ୍ୟାଳୟର ହାରିସ ସ୍କୁଲ ଅଫ୍ ପବ୍ଲିକ୍ ପଲିସିର ସହକାରୀ ପ୍ରଫେସର କହିଛନ୍ତି, ଆମ ପରିବେଶରୁ ବ୍ୟାକ୍ଟେରିଆ ଓ ରୋଗଜୀବାଣୁ ଥିବା ମୃତ ପଶୁମାନଙ୍କୁ ହଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଶାଗୁଣାମାନଙ୍କୁ ‘ପ୍ରକୃତିର ପରିମଳ ସେବା’ ଭାବରେ ବିବେଚନା କରାଯାଏ। ସେମାନଙ୍କ ବିନା ରୋଗ ବ୍ୟାପିପାରେ। ସହରାଞ୍ଚଳରେ ଏହି ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା ଯେଉଁଠାରେ ଅଳିଆ ପକାଇବା ଓ ମୃତଦେହ ପକାଇବା ସାଧାରଣ କଥା ଥିଲା। ମୋଟାମୋଟି ଭାବେ ୨୦୦୦ରୁ ୨୦୦୫ ମଧ୍ୟରେ ଶାଗୁଣା ବଂଶ କ୍ଷୟ ହେବା ଫଳରେ ବାର୍ଷିକ ପ୍ରାୟ ୧,୦୦,୦୦୦ ଅତିରିକ୍ତ ମାନବ ମୃତ୍ୟୁ ଘଟିଥିଲା, ଯାହାଫଳରେ ୭୦ ବିଲିୟନ ଡଲାରର ଆର୍ଥିକ କ୍ଷତି ହୋଇଥିଲା।