ନୂଆଦିଲ୍ଲୀ:  ଭାରତର ରପ୍ତାନି ଉପରେ ଅଗଷ୍ଟ ୨୭ ତାରିଖ (ବୁଧବାର)ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ୫୦ ପ୍ରତିଶତର ଚଢ଼ା ଶୁଳ୍କ ଲାଗୁ କରିଛି। ରୁଷ୍‌ଠାରୁ ଅଧିକ ତେଲ କିଣି ଭାରତ ପରୋକ୍ଷରେ ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଥିବା ଅଭିଯୋଗ ଆଣି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ଜରିମାନା ଭାବେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଚଳିତ ମାସ ୬ ତାରିଖରେ ଘୋଷଣା କରିଥିଲେ। ଏଥିପାଇଁ ୨୧ ଦିନ ସମୟ ଦେଇଥିଲେ। ଏହି ମହଲତ ଆଜି (ଅଗଷ୍ଟ ୨୭) ପୂରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଆମେରିକା ସହିତ ବାଣିଜ୍ୟ ରାଜିନାମା କରିବାରେ ବିଫଳ ହେବାରୁ ନୂଆଦିଲ୍ଲୀ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ୱାସିଂଟନ ଚଳିତ ମାସ ୭ ତାରିଖରୁ ଲଗାଇଛି। 

Advertisment

ତେବେ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଦାମୀ ହେବାକୁ ଥିବା ସାମଗ୍ରୀ ମଧ୍ୟରେ ରହିଛି ଚିଙ୍ଗୁଡ଼ି, ମଣି ଏବଂ ଅଳଙ୍କାର, କପଡା ଏବଂ ପୋଷାକ, କାର୍ପେଟ୍, ରୁମାଲ, ଚମଡ଼ା ଏବଂ ଜୋତା, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଇତ୍ୟାଦି।

ନୂଆ ଶୁଳ୍କ ଆମେରିକା ସମୟ ଇଡିଟି ୧୨ଟା ୦୧ ମିନିଟ୍‌ (ଭାରତୀୟ ସମୟ ସକାଳ ୯ଟା ୩୧ ମିନିଟ)ରୁ କାର୍ଯ୍ୟକାରୀ ହୋଇଛି। ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ନେଇ ରାଷ୍ଟ୍ରପତି ଟ୍ରମ୍ପ କରିଥିବା ଘୋଷଣା ସଂପର୍କରେ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଥିଲା। ତେବେ ଯାତାୟାତରେ ଥିବା ସାମଗ୍ରୀ, ମାନବୀୟ ସହାୟତା ଏବଂ ପାରସ୍ପରିକ ବ୍ୟାପାର କାର୍ଯ୍ୟକ୍ରମ ଅଧୀନରେ ଆସୁଥିବା ସାମଗ୍ରୀ ଉକ୍ତ ଶୁଳ୍କରୁ ବାଦ୍‌ ପଡ଼ିବ।