ତେଜୁଛି ଆମେରିକା-ଚୀନ୍ ଉତ୍ତେଜନା; ଆମେରିକା ପକ୍ଷ ନ ହେବାକୁ ଭାରତକୁ ବେଜିଙ୍ଗ୍‌ର ଉପଦେଶ

ନୂଆଦିଲ୍ଲୀ: କୋଭିଡ୍-୧୯ ସମେତ ଆହୁରି ଅନେକ ସମସ୍ୟା ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ମଧ୍ୟରେ ଉତ୍ତେଜନା ତେଜୁଥିବା ବେଳେ ଚୀନ୍ ଭାରତକୁ ଉପଦେଶ ଦେଇ କହିଛି ଯେ ସେ ଆମେରିକା-ଚୀନ୍ ଦ୍ବନ୍ଦ୍ବରେ ସମ୍ପୃକ୍ତ ନ ହେଉ। ବେଜିଙ୍ଗ୍ କହିଛି ଯେ, ନୂତନ ଶୀତଳ ଯୁଦ୍ଧରେ ଚୀନ୍‌କୁ ଆକ୍ରମଣ କରିବା ପାଇଁ ଭାରତ ଯୁକ୍ତରାଷ୍ଟ୍ର ଆମେରିକାର କ୍ରୀଡ଼ନକ ସାଜିଲେ କୋଭିଡ୍-୧୯ ମହାମାରୀ ମଧ୍ୟରେ ଭୀଷଣ ଅର୍ଥନୈତିକ ଧକ୍କା ଖାଇବ।

ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ‘ପିପୁଲସ୍ ଡେଲି’ ଖବରକାଗଜ ଆନୁକୂଲ୍ୟରେ ପ୍ରକାଶିତ ଟାବଲଏଡ୍ ‘ଗ୍ଲୋବାଲ୍ ଟାଇମ୍‌ସ୍’ରେ ପ୍ରକାଶିତ ଆଲେଖ୍ୟରେ କୁହାଯାଇଛି, ଭାରତରେ ଜାତୀୟତାବାଦ ମନୋଭାବ ବୃଦ୍ଧି ପାଇଥିବାରୁ ନୂତନ ଶୀତଳ ଯୁଦ୍ଧରେ ଯୋଗ ଦେଇ ଅଧିକ ଫାଇଦା ପାଇଁ ନିଜର ସ୍ଥାନ ଅକ୍ତିଆର କରିବାକୁ କେତେକ ଭାରତ ସରକାରଙ୍କୁ ଡାକାରା ଦେଉଛନ୍ତି। ଏହି ଅବାନ୍ତର ଆହ୍ବାନ ବିଭ୍ରାନ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ। ଏହା କୌଣସି ପ୍ରତିଷ୍ଠିତ ଡାକରା ପ୍ରତିନିଧିତ୍ବ କରୁନାହିଁ। ଏହା ଭାରତର ଦୃଷ୍ଟିଭଙ୍ଗୀକୁ ଦୋହଲାଇ ଦେବ। ପ୍ରକୃତ କଥା କହିବାକୁ ଗଲେ, ଯୁକ୍ତରାଷ୍ଟ୍ର ଆମେରିକା-ଚୀନ୍‌ ବିବାଦର ଯେକୌଣସି ପ୍ରସଙ୍ଗରେ ସାମିଲ ହେଲେ ଭାରତର କିଛି ଲାଭ ହେବନାହିଁ, ଲାଭ ଠାରୁ ବରଂ କ୍ଷତି ଅଧିକ ହେବ। ତେଣୁ, ମୋଦୀ ସରକାର ନିରପକ୍ଷ ଏବଂ ଯୁକ୍ତିନିଷ୍ଠ ଭାବେ ନୂତନ ଅନ୍ତର୍ଜାତୀୟ ରାଜନୀତିର ସମ୍ମୁଖୀନ ହେବା ଉଚିତ।

Image Courtesy of News18

ଆଲେଖ୍ୟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚୀନ୍‌-ଭାରତ ସମ୍ପର୍କରେ ଥିବା କୌଣସି ସମସ୍ୟା ସମାଧାନ କରିବାରେ ଭାରତ ଆମେରିକା ଦ୍ବାରା ପ୍ରଭାବିତ ନ ହେଉ। ସେମିତି ହେଲେ ବେଜିଙ୍ଗ୍ ଓ ନୂଆଦିଲ୍ଲୀ ମଧ୍ୟରେ ଥିବା ସମ୍ପର୍କ ଜଟିଳ ହୋଇଯିବ।

ସମ୍ବନ୍ଧିତ ଖବର