ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦର ପୁଅ ଅସଦ ଅହମଦ ଏବଂ ତାର ଜଣେ ସହଯୋଗୀ ଗୁଲାମ ମହମଦ୍କୁ ଗୁରୁବାର ଉତ୍ତରପ୍ରଦେଶର ଝାନ୍ସୀରେ ଏନକାଉଣ୍ଟର କରାଯାଇଛି।
ବିଏସ୍ପି ବିଧାୟକ ରାଜୁ ପାଲ୍ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍ ହତ୍ୟା ମାମଲାର ପ୍ରାୟ ୨ ମାସ ପରେ ଉତ୍ତରପ୍ରଦେଶ ଏସ୍ଟିଏଫ୍ (ସ୍ପେସାଲ ଟାସ୍କଫୋର୍ସ) ଏହି ଏନକାଉଣ୍ଟର କରିଛି। ଉଭୟ ଅସଦ ଏବଂ ଗୁଲାମକୁ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ ଖୋଜୁଥିଲା।
ଅସଦ ଏବଂ ଗୁଲାମକୁ ଏନକାଉଣ୍ଟର ପରେ ପ୍ରୟାଗରାଜର କସାରି-ମାସରୀ ଅଞ୍ଚଳରେ ଥିବା କବରସ୍ତାନରେ ଦୁହିଁଙ୍କ ପାଇଁ କବର ଖୋଳାଯାଇଛି। ଅତିକର ବାପା ଓ ମା’ଙ୍କ କବର ପାଖରେ ପୁଅ ଅସଦକୁ କବର ଦିଆଯିବ। ଏଥିସହିତ ଏନକାଉଣ୍ଟରରେ ଅସଦ ସହିତ ନିହତ ହୋଇଥିବା ଗୁଲାମ ମହମ୍ମଦକୁ ବି ଏହି କବରସ୍ଥାନରେ କବର ଦିଆଯିବ।
ସୂଚନା ମିଳିଛି କି, ଗତକାଲି ଏନକାଉଣ୍ଟର ପରେ ଅସଦ ଓ ଗୁଲାମ ଦୁହିଁଙ୍କ ମୃତଦେହକୁ ବିଳମ୍ବିତ ରାତି ବ୍ୟବଚ୍ଛେଦ କରାଯାଇଥିଲା। ଆଜି ଅର୍ଥାତ ଏପ୍ରିଲ ୧୪ ତାରିଖରେ ପୁଲିସର ନୀରିକ୍ଷଣରେ ଆଜି ଝାନସୀ ପ୍ରୟାଗରାଜକୁ ଅଣାଯାଇ ଅସଦ ଓ ଗୁଲାମଙ୍କ ଅନ୍ତିମ ସଂସ୍କାର କରାଯିବ। ଏହି ସମୟରେ ଯେମିତ କୌଣସି ଅଘଟଣ ନଘଟେ ସେଥିପାଇଁ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କିନ୍ତୁ ମୃତଦେହକୁ ଅସଦ କି ଗୁଲାମଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଏଥିସହିତ ଅତିକ ଅହମ୍ମଦ ବି ପୁଅର ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିବ ନାହିଁ।
ପୁଅର ଶେଷକୃତ୍ୟ ବେଳେ ଉପସ୍ଥିତି ରହିବାକୁ ଅତିକ ମହମ୍ମଦ ପ୍ରୟାଗରାଜର ଏକ କୋର୍ଟରେ ଅନୁମତି ମାଗିଥିଲା କିନ୍ତୁ ତାକୁ ନିରାଶ ହେବାକୁ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଏଥିନିମନ୍ତେ ତାକୁ ଅନୁମତି ଦେବାକୁ କୋର୍ଟ ମନା କରି ଦେଇଛନ୍ତି। ଫଳରେ ପୁଅକୁ ଶେଷ ଥର ଦେଖି ପାରିବନି ଅତିକ ।