ଏବେ ଆଉ କେହି ମୁସଲମାନ ରହିବେ ନାହିଁ; ଯୋଗୀଙ୍କ ମଦ୍ରାସା ସର୍ଭେ ଆଦେଶକୁ ନେଇ ଏଭଳି କହିଲେ ଓୱେସୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସା ଉପରେ ଏକ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଯୋଗୀଙ୍କ ଏଭଳି ନିର୍ଦ୍ଦେଶକୁ ସମାଲୋଚନା କରି ତାଙ୍କୁ ଟ‌ାର୍ଗେଟ କରିଛନ୍ତି। ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିବା ସହ ଓୱେସୀ କହିଛନ୍ତି ଯେ, ଯଦି ଏହି ସର୍ଭେ ପାଇଁ ନିର୍ଦ୍ଦେଶ ଦିଆଯାଉଛି, ତେବେ କୌଣସି ମୁସଲମାନ ରହିବେ ନାହିଁ ବୋଲି ଏକ ନିର୍ଦ୍ଦେଶ ଜାରି କରାଯିବା ଉଚିତ।

ସେ କହିଛନ୍ତି ଯେ, ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ମନମୁଖୀ ଏବଂ ମୁସଲମାନମାନଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଏଭଳି କରାଯାଉଛି।ସରକାର ଯେଉଁ ମଦ୍ରାସାକୁ ସାହାଯ୍ୟ ଯୋଗାଉନାହାନ୍ତି, ସେ ସବୁ ମଦ୍ରାସାର ଯାଞ୍ଚ କରିବାର ଅଧିକାର ମଧ୍ୟ ତାଙ୍କର ନାହିଁ।

ଓୱେସୀ ଆହୁରି କହିଛନ୍ତି ଯେ, ବେସରକାରୀ ମଦ୍ରାସା ସହିତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ସରକାର କାହିଁକି ସେମାନଙ୍କ ସର୍ଭେ କରୁଛନ୍ତି? ସରକାର କେବଳ ମଦ୍ରାସା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକୁ ସାହାଯ୍ୟ କରନ୍ତି। ତେଣୁ ସରକାର ସେସବୁ ମଦ୍ରାସାର ଯାଞ୍ଚ କରିପାରିବେ।  ସମ୍ବିଧାନର ଧାରା ୩୦ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟର ନିଜସ୍ୱ ଅନୁଷ୍ଠାନ ଚଳାଇବାର ଅଧିକାର ରହିଛି।

ତେବେ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଆରମ୍ଭ ହେବା ପରେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଦାନିଶ ଆଜାଦ ଅନସାରୀ ମଦ୍ରାସା ଉପରେ ସର୍ଭେ କରାଯିବା ପଛର କାରଣ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମେ ଏହି ସର୍ଭେ କରିବାକୁ ଚାହୁଁଛୁ ଯାହା ଦ୍ବାରା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣା ପଡିବ। ଯେକୌଣସି ପ୍ରକାରର ତଥ୍ୟ ଆମ ସାମ୍ନାରେ ରହିବା ପରେ ହିଁ ଆମେ ସହଜରେ ଯୋଜନା ପ୍ରସ୍ତୁତ କରିବାକୁ ସମର୍ଥ ହେବୁ।

ସମ୍ବନ୍ଧିତ ଖବର