ପ୍ରଫେଟ୍‌ ବିବାଦକୁ ନେଇ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ ପରେ ଓୱେସୀ କହିଲେ; ମୁଁ ଡରେ ନାହିଁ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଘୃଣ୍ୟ ବାର୍ତ୍ତା ପ୍ରସାରଣ କରିଥିବାରୁ ‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଅସାଦୁଦ୍ଦିନ୍‌ ଓୱେସୀଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଛି। କେବଳ ସେ ନୁହନ୍ତି ସ୍ବାମୀ ନରସିଂହାନନ୍ଦ, ନୂପୁର ଶର୍ମା, ନବୀନ ଜିନ୍ଦଲ୍‌ ଏବଂ ସାମ୍ବାଦିକ ସବା ନକ୍‌ବି ଏବଂ ଆଉ କେତେଜଣ ବ୍ୟକ୍ତିଙ୍କ ନାମରେ ଦିଲ୍ଲୀ ପୁଲିସ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଛି। ତେବେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓୱେସୀ।

ନିଜ ଟ୍ବିଟର ଆକାଉଣ୍ଟରେ ସେ ଲେଖିଛନ୍ତି ଯେ, ମୁଁ ‘ଏଫ୍‌ଆଇଆର୍‌’ର ଏକ ଅଂଶ ପାଇଛି। ଏହା ହେଉଛି ପ୍ରଥମ ‘ଏଫ୍‌ଆଇଆର୍‌’ ଯାହା ମୁଁ ଦେଖିଛି। ହେଲେ ‘ଏଫ୍‌ଆଇଆର୍‌’‌ଟି ଅପରାଧ କ’ଣ, ତାହା ବ୍ୟାଖ୍ୟା କରୁନାହିଁ। ମୁଁ ଏହାକୁ ନେଇ ଭୟଭୀତ ହେବି ନାହିଁ।

ତେବେ ଦିଲ୍ଲୀ ପୁଲିସ ପଞ୍ଜିକରଣ କରିଥିବା ଦୁଇଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନୂପୁର ଶର୍ମାଙ୍କ ନାମରେ ଏବଂ ଅନ୍ୟଟି ନିରବଚ୍ଛିନ୍ନ ବିବାଦୀୟ ମନ୍ତବ୍ୟ ଦେଉଥିବା ବ୍ୟକ୍ତି  ନବୀନ ଜିନ୍ଦଲ୍‌, ଶାଦବ ଚୌହାନ, ସବା ନକ୍‌ବି, ମୌଲାନା ମୁଫ୍‌ତି ନଦୀମ୍, ଅବ୍‌ଦୁର୍‌ ରେହମାନ୍‌, ଗୁଲ୍‌ଜାର୍‌ ଆନ୍‌ସାରି ଏବଂ ଅନୀଲ କୁମାର ମୀନାଙ୍କ ବିରୋଧରେ ଦାଏର କରାଯାଇଛି। କେତେକ ସଙ୍ଗଠନକୁ ଉସୁକାଇବା ଏବଂ ଦେଶର ସର୍ବସାଧାରଣ ସ୍ଥିରତା ପ୍ରତି କ୍ଷତିକାରକ ପରିସ୍ଥିତି ସୃଷ୍ଟି କରିବା କାରଣରୁ ଦିଲ୍ଲୀ ପୁଲିସ ସ୍ପେସାଲ୍‌ସେଲ୍‌ର ‘ଇଣ୍ଟେଲିଜେନ୍‌ସ୍‌ ଫ୍ୟୁଜନ୍‌ ଆଣ୍ଡ୍‌ ‌ଷ୍ଟ୍ରାଟେଜିକ୍‌ ଅପରେସନ୍‌’ (ଆଇଏଫ୍‌ଏସ୍‌ଓ) ୟୁନିଟ୍‌ ଏହି ‌ବ୍ୟକ୍ତିବିଶେଷଙ୍କ ନାମରେ ଉକ୍ତ ‘ଏଫ୍‌ଆଇଆର୍‌’ ରୁଜୁ କରିଛି।

ସମ୍ବନ୍ଧିତ ଖବର