ନୂଆଦିଲ୍ଲୀ: ଭାରତକୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଓ ଖିଚଡି ସରକାରଙ୍କ ଆବଶ୍ୟକତା ରହିଛି। ଏଭଳି କହି ଏବେ ଚର୍ଚ୍ଚାରେ ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସୀ। ସେ କହିଛନ୍ତି ଯେ, ସେ ଦେଶରେ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ଏବଂ ଖିଚଡି ସରକାର ଚାହୁଁଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଗୁଜରାଟରେ ପହଞ୍ଚିଥିବା ଓୱେସୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଥିବା ଜଣାପଡ଼ିଛି। ଗୁଜରାଟରେ ସେ ଆମ୍ ଆଦମୀ ପାର୍ଟି ଏବଂ ବିଜେପିକୁ ସମାନ ବୋଲି ବର୍ଣ୍ଣନା କରିଥିବା ସାମ୍ନାକୁ ଆସିଛି।

Advertisment

ଓୱେସୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ କହିଥିଲେ ଯେ, ଚୀନ୍ ଆମ ମାଟିରେ ଆସି ବସିବାକୁ ନେଇ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦିଅନ୍ତି ନାହିଁ। ଯେତେବେଳେ ଶିଳ୍ପପତିଙ୍କ ଋଣ କାହିଁକି ଛାଡ ହେଲା ବୋଲି ପଚରାଯାଏ, ସେ କୁହନ୍ତି ଯେ ସିଷ୍ଟମ ମୋତେ କାମ କରିବାକୁ ଦେଉ ନାହିଁ। ତାଙ୍କ ପାଖରେ ୩୦୦ରୁ ଅଧିକ ସାଂସଦ ଅଛନ୍ତି। ପଣ୍ଡିତ ନେହେରୁଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହୋଇ ବି ସେ ସିଷ୍ଟମ ଉପରେ ଦୋଷ ଲଦୁଛନ୍ତି। ସେଥିପାଇଁ ମୁଁ ବିଶ୍ୱାସ କରୁଛି ଯେ ଦେଶକୁ ଦୁର୍ବଳ ପ୍ରଧାନମନ୍ତ୍ରୀ ଆବଶ୍ୟକ। ଶକ୍ତିଶାଳୀମାନେ କ୍ଷମତାକୁ ଆସି କିଛି କରିପାରିଲେ ନାହିଁ। ବର୍ତ୍ତମାନ ଦୁର୍ବଳମାନେ ପ୍ରଧାନମନ୍ତ୍ରୀ ହେଲେ ସେମାନେ ଦୁର୍ବଳମାନଙ୍କୁ ସାହାଯ୍ୟ କରିପାରିବେ। ଶକ୍ତିଶାଳୀମାନେ ଶକ୍ତିଶାଳୀମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଦୁର୍ବଳମାନଙ୍କୁ ପଚାରୁ ବି ନାହାନ୍ତି। ମୁଁ ଚାହୁଁଛି ଦେଶରେ ଖିଚଡି ସରକାର ଗଠନ ହେଉ।