ଆସିଆନ୍‌-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଆଞ୍ଚଳିକ ନିରାପତ୍ତା ପାଇଁ ସ୍ପଷ୍ଟ ନୀତି ନିର୍ଦ୍ଧାରଣ ହେଉ

ମାନିଲା :  ଭାରତ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌୍‌ବୋଧନ ଦେଇ  ଆଞ୍ଚଳିକ ନିରାପତ୍ତା ଓ ଶାନ୍ତି ବଜାୟ ରଖିବାକୁ ସମସ୍ତ ରାଷ୍ଟ୍ର ସ୍ପଷ୍ଟ ନୀତି ଗ୍ରହଣ କରିବାକୁ ଆହ୍ଵାନ ଦେଇଛନ୍ତି। ଆଞ୍ଚଳିକ ନିରାପତ୍ତା ସଂକ୍ରାନ୍ତ ସୁଦୃଢ଼ ରଣନୀତି ତୟାର କରିବା ଦିଗରେ ଭାରତ ସମସ୍ତ ସମର୍ଥନ ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଞ୍ଚଳିକ ଶାନ୍ତି ଓ ସ୍ଥରତା ବିନା ଭାରତ-ପ୍ରଶାନ୍ତ କ୍ଷେତ୍ରର ପ୍ରକୃତ ବିକାଶ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ପ୍ରସଙ୍ଗ ଉତ୍‌୍‌ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ରାଷ୍ଟ୍ର ଆତଙ୍କବାଦକୁ ରୋକିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି, କିନ୍ତୁ ଏକ ମିଳିତ ଲଢ଼େଇ ଏହି ପ୍ରୟାସକୁ ଅଧିକ ଫଳପ୍ରଦ ଓ ବ୍ୟାପକ କରିବ। ସମସ୍ତ ରାଷ୍ଟ୍ର ମଧ୍ୟରେ  ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି, ବାଣିଜ୍ୟ କାରବାର ଏବଂ ପରସ୍ପରକୁ ସହଯୋଗ କ୍ଷେତ୍ରରେ ଏବେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି।

ଆଞ୍ଚଳିକ ବିବାଦଗୁଡ଼ିକ ସଂପର୍କରେ ଗଠନମୂଳକ ଆଲୋଚନା ଏବଂ ସହମତି ଦ୍ୱାରା ହିଁ ଏହାକୁ ଏଡ଼ାଇ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।  ସମଗ୍ର ଏସିଆର ବିକାଶ ପାଇଁ ଆସିଆନର ରଣନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ କେନ୍ଦ୍ର କରି ହିଁ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ମୋଦି କହିଥିଲେ। ସମ୍ପ୍ରତି ଦକ୍ଷିଣ ଚୀନ୍‌ ସାଗର ବିବାଦ, ଚୀନ୍‌ର ପ୍ରସ୍ତାବିତ ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ୍‌(ଓବିଓଆର୍‌), ପାକ୍‌-ଚୀନ୍‌ ଅର୍ଥନୈତିକ କରିଡର, ସୀମାପାର ଆତଙ୍କବାଦ ଆଦି ପ୍ରସଙ୍ଗ ଚିନ୍ତାର କାରଣ ହୋଇଥିବା ବେଳେ ଆଞ୍ଚଳିକ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି।   ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା  ମିଳିତ କୂଟନୀତି ଆରମ୍ଭ କରିଥିବା ବେଳେ ଆଗକୁ ଭାରତ ଓ ପୂର୍ବ ଏସିଆରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି। ଆଜି ପ୍ରଧାନମନ୍ତ୍ରୀ ପୂର୍ବ ଏସିଆ ସମ୍ମିଳନୀ ଅବସରରେ  ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ  ଜାସିଣ୍ଡା ଆର୍‌ଡେର୍ନ,  ବ୍ରୁନେଇ ସୁଲତାନ ହସ୍‌୍‌ନାଲ ବୋଲକ୍ୟା,  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବଲ, ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ମାନିଲାରେ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀରେ ମଧ୍ୟ ଉଦ୍‌୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର