ଜୟପୁର: କୁଖ୍ୟାତ ଆଶାରାମ ବାପୁ ଦୁଷ୍କର୍ମ ମାମଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ପିତା ଆତ୍ମଘୋଷିତ ଧର୍ମଗୁରୁଙ୍କ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ଏବଂ ତାଙ୍କ ପରିବାର ପ୍ରତି ବିପଦ ରହିଥିବା ଅଭିଯୋଗ କରିଛନ୍ତି। ଗୋଣ୍ଡାସ୍ଥିତ ଆଶାରାମଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା ଏକ କାର ଭିତରୁ ଜଣେ ଝିଅର ମୃତଦେହ ଉଦ୍ଧାର ହେବାର ଗୋଟିଏ ଦିନ ପରେ ଏହି ଅଭିଯୋଗ ସାମନାକୁ ଆସିଛି।
‘ଗତ ମାର୍ଚ୍ଚ ୨୧ ତାରିଖରେ ମୋ ସହ ଦୁର୍ବ୍ୟବହାର କରିବା ପରେ ଆଶାରାମଙ୍କ ଜଣେ ଅନୁଗାମୀ ଆମ ଘରେ ଏକ ଧମକ ପତ୍ର ଛାଡି ଯାଇଥିଲେ। ଚିଠିରେ ଅପମାନଜନକ ଭାଷା ବ୍ୟବହାର କରା ଯାଇଥିଲା ଏବଂ ବ୍ୟକ୍ତି ଜଣକ ଏହା ଉପରେ ତାଙ୍କ ଠିକଣା ମଧ୍ୟ ଉଲ୍ଲେଖ କରିଥିଲେ’ ବୋଲି ପୀଡିତାଙ୍କ ପିତା ଶନିବାର ଅଭିଯୋଗ କରିଛନ୍ତି। ଏହି ଧମକ ମିଳିବା ପରେ ସୁରକ୍ଷା ଦେବା ପାଇଁ ପୁଲିସ ତାଙ୍କ ଘର ବାହାରେ ଦୁଇ ଜଣ କନଷ୍ଟେବଳଙ୍କୁ ମୁତୟନ କରିଥିଲା ଏବଂ ପ୍ରଥମ ଦିନରୁ ହିଁ ସେମାନଙ୍କ ମଧ୍ୟରୁ ଜଣେ ଡ୍ୟୁଟିରୁ ଓହରି ଯାଇଥିଲେ। ଅନ୍ୟପକ୍ଷରେ ଯେଉଁଦିନ ବ୍ୟକ୍ତିଜଣକ ଧମକ ପାଇଥିଲେ, ସେ କହିଥିଲେ ଯେ ଡ୍ୟୁଟିରେ ଥିବା ଏକମାତ୍ର କନଷ୍ଟେବଳବି ଉପସ୍ଥିତ ନଥିଲେ। ବ୍ୟକ୍ତି ଜଣକ ଦାବି କରିଛନ୍ତି, ମୁଁ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେଇଛି କିନ୍ତୁ ପୁଲିସ ଏ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ସୀତାପୁରର ଆରକ୍ଷୀ ଅଧୀକ୍ଷକ ଏସ ଆନନ୍ଦ କହିଛନ୍ତି, ପୀଡିତା କିମ୍ବା ତାଙ୍କ ପରିବାରକୁ ଦିଆଯାଇଥିବା କୌଣସି ଧମକ ସମ୍ପର୍କରେ ଆମେ କୌଣସି ରିପୋର୍ଟ ପାଇନାହୁଁ। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ପୀଡିତା ୨୦୧୩ରେ ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଏହି ମାମଲାରେ ଅଦାଲତ ଏପ୍ରିଲ ୨୮, ୨୦୧୮ରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଥିଲେ। ସେ ବର୍ତ୍ତମାନ ରାଜସ୍ଥାନ ଜେଲରେ ଅଛନ୍ତି। ଏହି ସମୟରେ, ଶୁକ୍ରବାର ଦିନ ଆଶାରାମଙ୍କ ଆଶ୍ରମରେ ଏକ କାରରୁ ୧୩ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ମାମଲାରେ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/asaram-bapu.jpg)