ଗାନ୍ଧୀନଗର: ଦଶବର୍ଷ ତଳର ଏକ ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ଗୁଜୁରାଟର ଏକ ଅଦାଲତ ସୋମବାର ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୧୦ ବର୍ଷ ପୂର୍ବେ ଅହମ୍ମଦାବାଦର ମୋଟେରାସ୍ଥିତ ତାଙ୍କ ଆଶ୍ରମରେ ଥିବାବେଳେ ସୁରଟର ଜଣେ ମହିଳାଙ୍କୁ ଆଶାରାମ ବାପୁ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଆଜି (ସୋମବାର) ଆଶାରାମ ବାପୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ଗାନ୍ଧୀନଗର ସେସନ୍ସ ଅଦାଲତ ମଙ୍ଗଳବାର ଏହି ମାମଲାରେ ଦଣ୍ଡ ଶୁଣାଇବେ।
ଆଶାରାମ ବାପୁଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୩୪୨ (ବନ୍ଦୀ କରି ରଖିବା), ୩୫୪ଏ (ଯୌନ ଉତ୍ପୀଡ଼ନ), ୩୭୦(୪) (ଚୋରା ଚାଲାଣ), ୩୭୬ (ବଳାତ୍କାର), ୫୦୬ (ଅପରାଧିକ ଧମକ), ଏବଂ ୧୨୦(ବି) (ଅପରାଧିକ ଷଡଯନ୍ତ୍ର) ଦଫା ଅନୁଯାୟୀ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି।
ଆଶାରାମଙ୍କ ପୁଅ ନାରାୟଣ ସାଇ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଥିଲେ। ଏହି ମାମଲାରେ ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ, ଝିଅ ଭାରତୀ ଏବଂ ଚାରି ଜଣ ମହିଳା ଅନୁଗାମୀ; ଧ୍ରୁବବେନ୍, ନିର୍ମଳା, ଜସି ଏବଂ ମୀରାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ, ଗାନ୍ଧୀନଗର ଅଦାଲତ ପ୍ରମାଣ ଅଭାବରୁ ଏମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ବର୍ତ୍ତମାନ ଯୋଧପୁରର ଏକ ଜେଲରେ ଅଛନ୍ତି। ୨୦୧୮ରେ ଯୋଧପୁରର ଏକ ଟ୍ରାଏଲ କୋର୍ଟ ତାଙ୍କୁ ଅନ୍ୟ ଏକ ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ସେ ୨୦୧୩ରେ ଯୋଧପୁର ଆଶ୍ରମରେ ଜଣେ ୧୬ବର୍ଷୀୟା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ସେହି ସମୟରେ ୭୭ ବର୍ଷ ବୟସ୍କ ଧର୍ମଗୁରୁଙ୍କୁ ଆଇପିସିର ଧାରା ୩୭୬, ଯୌନ ଅପରାଧ ଅଧୀନରେ ଶିଶୁସୁରକ୍ଷା (ପୋକ୍ସୋ) ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍ (ଜେଜେ) ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଶାରାମଙ୍କୁ ଅଗଷ୍ଟ, ୨୦୧୩ରେ ଇନ୍ଦୋରରୁ ଗିରଫ କରାଯାଇଥିଲା ଏବଂ ସେପ୍ଟେମ୍ବର, ୨୦୧୩ରେ ଯୋଧପୁର ଅଣାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/asaram.jpg)