ନୂଆଦିଲ୍ଲୀ: ବୁଧବାର ପ୍ରକାଶିତ ସଦ୍ୟତମ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍ଇଆର୍) ସର୍ଭେ ଅନୁଯାୟୀ, ୧୪ରୁ ୧୮ ବର୍ଷ ବୟସର ପ୍ରାୟ ଏକଚତୁର୍ଥାଂଶ କିଶୋର ସେମାନଙ୍କ ଆଞ୍ଚଳିକ ଭାଷାରେ ଦ୍ବିତୀୟ ଶ୍ରେଣୀର ବହି ପଢ଼ି ପାରନ୍ତି ନାହିଁ ଏବଂ ଅତି କମ୍ରେ ୪୨.୭% ଇଂରାଜୀରେ ବାକ୍ୟ ପଢ଼ିପାରନ୍ତି ନାହିଁ। ଶିକ୍ଷାଭିତ୍ତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରଥମ ଫାଉଣ୍ଡେସନ୍’ ନେତୃତ୍ବରେ ‘ବିୟଣ୍ଡ୍ ବେସିକ୍’ ଶୀର୍ଷକ ଏଏସ୍ଇଆର୍ ୨୦୨୩ ରିପୋର୍ଟରେ ୨୬ଟି ରାଜ୍ୟର ୨୮ଟି ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଥିବା ୩୪,୭୪୫ ଜଣ ୧୪ରୁ ୧୮ ବର୍ଷ ବୟସ୍କ କିଶୋରକିଶୋରୀଙ୍କୁ ନେଇ ସର୍ଭେ କରାଯାଇଥିଲା। ଶେଷ ଥର ପାଇଁ ୨୦୧୭ରେ ଏଏସ୍ଇଆର୍ ରିପୋର୍ଟରେ ଏହି ନିର୍ଦ୍ଦିଷ୍ଟ ବୟସ ବର୍ଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ୧୪ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରୁ ମୋଟ ୮୬.୮% ସ୍କୁଲ କିମ୍ବା କଲେଜରେ ନାମ ଲେଖାଇଥିବା ବେଳେ ବୟସ ସହିତ ନାମଲେଖା ହାର ହ୍ରାସ ପାଇଛି। ସ୍କୁଲ କିମ୍ବା କଲେଜରେ ନାମ ଲେଖାଇ ନ ଥିବା ପିଲାଙ୍କ ସଂଖ୍ୟା ବୟସ ଅନୁପାତରେ ବୃଦ୍ଧି ପାଇଛି। ୧୪ ବର୍ଷ ବୟସ୍କଙ୍କ ମଧ୍ୟରୁ ୩.୯%, ୧୬ ବର୍ଷ ବୟସ୍କଙ୍କ ମଧ୍ୟରୁ ୧୦.୯% ଏବଂ ୧୮ ବର୍ଷର ପିଲାଙ୍କ ମଧ୍ୟରୁ ୩୨.୬% ପିଲା ନାମ ଲେଖାଇ ନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp