‘ଆଶା’ କର୍ମୀମାନଙ୍କୁ ସମ୍ମାନିତ କ‌ଲା ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବ୍ୟବସ୍ଥା ସହିତ ଜନସାଧରଣଙ୍କୁ ସଂଯୋଗ କରିବା ଏବଂ ଗ୍ରାମୀଣ ଦାରିଦ୍ର୍ୟରେ ବାସ କରୁଥିବା ଲୋକେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି ସୁନିଶ୍ଚିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ‘ଆଶା’କୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକଙ୍କ ‘ଗ୍ଲୋବାଲ୍‌ ହେଲ୍‌ଥ୍‌ ଲିଡର୍ସ ଆୱାର୍ଡସ୍‌’ରେ ସ୍ବୀକୃତି ମିଳିଛି। ଭାରତୀୟ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୧୦ ଲକ୍ଷରୁ ଅଧିକ ମହିଳା ସ୍ବେଚ୍ଛାସେବୀ (ଆଶାକର୍ମୀ) ଅଛନ୍ତି।

‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି ଯେ, ଗ୍ରାମୀଣ ଦାରିଦ୍ର୍ୟରେ ବାସ କରୁଥିବା ଲୋକେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି କୋଭିଡ୍‌-୧୯ କ‌ାଳରେ ‘ଆଶା’ କର୍ମୀମାନେ ସୁନିଶ୍ଚିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଟୁଇଟ୍‌ କରି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି, ଟିକାଦ୍ବାରା ପ୍ରତିରୋଧ କରାଯାଇ ପାରୁଥିବା ରୋଗ; ଗୋଷ୍ଠୀ ସ୍ବାସ୍ଥ୍ୟ ସେବା; ରକ୍ତଚାପ ଓ ଯକ୍ଷ୍ମା ଚିକିତ୍ସା ଏବଂ ପୋଷକତତ୍ତ୍ବ, ପରିମଳ ଏବଂ ସୁସ୍ଥକର ଜୀବନଯାପନ ଭଳି ମୌଳିକ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସାର କ୍ଷେତ୍ରରେ ଏହି ମହିଳା କର୍ମୀମାନେ ମାତୃବତ୍‌ ଯତ୍ନ ଯୋଗାଇ ଛନ୍ତି।

Image Courtesy of NDTV

‘ଆଶା’କୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକଙ୍କ ‘ଗ୍ଲୋବାଲ୍‌ ହେଲ୍‌ଥ୍‌ ଲିଡର୍ସ ଆୱାର୍ଡସ୍‌’ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ‘ଆଶା’କର୍ମୀଙ୍କୁ ଅଭିନନ୍ଦ ଜଣାଇଛନ୍ତି।

ସେହିପରି, ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡଭୀୟ ମଧ୍ୟ ‘ଆଶା’ କର୍ମୀମାନଙ୍କୁ ପୁରସ୍କାର ମିଳିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

୭୫ତମ ‘ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀ’ର ଉଦ୍‌ଘାଟନୀ ଉତ୍ସବରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଡାକ୍ତର ଟେଡ୍‌ରସ୍‌ ଆଧନୋମ୍‌ ଗେବ୍ରେୟେସସ୍ ଏହି ପୁରସ୍କାର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର