‘ବିଜେପି ନେତା’ଙ୍କ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଆପାର୍ଟମେଣ୍ଟ୍‌ରେ ଖୋଜିଲେ ୬ ଦୁର୍ବୃତ୍ତ; ସାଂସଦ କହିଲେ, ମୁଁ ଲଜ୍ଜିତ

ନଇଡ଼ା: ନଇଡ଼ାରେ ଜଣେ ମହିଳାଙ୍କୁ ଆକ୍ରମଣ କରି ଫେରାର୍‌  ହୋଇଯାଇଥିବା ଶ୍ରୀକାନ୍ତ ତ୍ୟାଗୀ ନାମରେ ଜଣେ ବ୍ୟକ୍ତିଙ୍କ ସହଯୋଗୀମାନେ ଉକ୍ତ ମହିଳାଙ୍କ ଅନୁସନ୍ଧାନରେ ବାହାରି ରବିବାର ସନ୍ଧ୍ୟାରେ ସେକ୍ଟର୍‌ ୯୩ବିରେ ଥିବା ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ରେସିଡେନ୍‌ସିଆଲ୍‌ ସୋସାଇଟି’ରେ ପ୍ରବେଶ କରି ପୁଲିସ ହାତରେ ଧରାପଡ଼ିଛନ୍ତି।

ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ‘ବିଜେପି ନେତା’ ବୋଲାଉଥିବା ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ଦଳର ସଦସ୍ୟ ନୁହନ୍ତି ବୋଲି ଗୈରିକ ଦଳ ସ୍ପଷ୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ  ନଇଡ଼ାର ସେକ୍ଟର୍‌-୯୩ବିସ୍ଥିତ ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ରେସିଡେନ୍‌ସିଆଲ୍‌ ସୋସାଇଟି’ରେ ୬/୭ଜଣ ଲୋକ ବଳପୂର୍ବକ ପ୍ରବେଶ କରି ଶ୍ରୀକାନ୍ତ ତ୍ୟାଗୀଙ୍କ ଆକ୍ରମଣର ସରବ୍ୟ ହୋଇଥିବା ମହିଳାଙ୍କ ଠିକଣା ପଚାରିଥିଲେ। ସେଠାକାର ବାସିନ୍ଦାମାନେ ଉକ୍ତ ମହିଳାଙ୍କ ଠିକଣା ନ ଦେଇ ଓଲଟି ସେ ଲୋକମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଟକ ଲୋକମାନଙ୍କୁ ଥାନାକୁ ନେଇଥିଲା।

Image Courtesy of Zee News

ଘଟଣା ଚାରିଆଡ଼େ ପ୍ରଘଟ ହେବା ପରେ ‘ବିଜେପି’ ସାଂସଦ ମହେଶ ଶର୍ମା ନଇଡ଼ା ସୋସାଇଟିରେ ପହଞ୍ଚି କହିଥିଲେ, ଆଜି ଯାହା ଘଟିଲା ସେଥିପାଇଁ ମୁଁ ଲଜ୍ଜିତ। ତ୍ୟାଗୀଙ୍କୁ ଧରିବାରେ ବିଳମ୍ବ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛି।

ସୂଚନାଯୋଗ୍ୟ, ନଇଡ଼ା ପୁଲିସ ଏହି ମାମଲାରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରି ଅଭିଯୁକ୍ତ ତ୍ୟାଗୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଏହି ମାମଲାରେ ପୁଲିସ ରବିବାର ଦିନ ଶ୍ରୀକାନ୍ତ ତ୍ୟାଗୀଙ୍କ ପତ୍ନୀଙ୍କୁ ମଧ୍ୟ ପଚରାଉଚରା କରିଛି।

ଗଣମାଧ୍ୟମକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ‘ସୋସାଇଟି’ରେ ପ୍ରବେଶ କରିଥିବା ବ୍ୟକ୍ତିମାନେ ହେଉଛନ୍ତି ଶ୍ରୀକାନ୍ତ ତ୍ୟାଗୀଙ୍କ ପତ୍ନୀଙ୍କ ସମ୍ପର୍କୀୟ।

ସମ୍ବନ୍ଧିତ ଖବର