ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାଦେଶ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଯୋଧପୁର : ଆତ୍ମଘୋଷିତ ବାବା ଆଶାରାମକୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଆଜୀବନ ଜେଲର ଅର୍ଥ ହେଉଛି ଆଶାରାମ ଜୀବନ ଥିବା ପର୍ଯ୍ୟନ୍ତ ଜେଲରେ ରହିବେ । ଏହି ଦଣ୍ଡାଦେଶ ଶୁଣି ସେ କାନ୍ଦିପକାଥିଲେ ବୋଲି ଜଣାପଡିଛି । ଆଶାରାମଙ୍କୁ ପକସୋ ଆଇନ ( ଯୌନ ଅପରାଧ କବଳରୁ ଶିଶୁ ସୁରକ୍ଷା ଆଇନ) ଓ ଅନୁସୂଚିତ ଜାତି ଓ ଉପଜାତି ( ଅତ୍ୟାଚାର ନିରୋଧ) ଆଇନ ଅନୁସାରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡ ଶୁଣାଇଛନ୍ତି ।

ଘଟଣାରେ ଆଶାରାମଙ୍କୁ ସହାୟତା କରିଥିବା ଅନ୍ୟଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ମିଳିଛି । ତେବେ ସ୍ୱତନ୍ତ୍ର କୋର୍ଟର ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରାଯିବ ବୋଲି ଆଶାରାମଙ୍କ ଆଶ୍ରମର ମୁଖପାତ୍ର କହିଛନ୍ତି । ରାଜସ୍ଥାନର ଯୋଧପୁରସ୍ଥିତ ଆଶାରାମଙ୍କ ଆଶ୍ରମରେ ରହୁଥିବା ଉତ୍ତରପ୍ରଦେଶର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୩ ଅଗଷ୍ଟ ୩୧ରେ ଆଶାରାମ ଗିରଫ ହୋଇଥିଲେ । ଏହି ଦଣ୍ଡାଦେଶ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଦୁଷ୍କର୍ମ ପୀଡିତାଙ୍କ ପିତା କହିଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିଛି। ଅନ୍ୟପକ୍ଷରେ ଏହି ଦଣ୍ଡାଦେଶ ଶୁଣାଇବା ପରେ ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ ଆଦି ରାଜ୍ୟରେ ସୁରକ୍ଷା କଡ଼ାକଡି କରାଯାଇଛି ।

ସମ୍ବନ୍ଧିତ ଖବର