ପାଟନା: ବିହାରରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ତାତି ସେତିକି ବଢ଼ିବାରେ ଲାଗିଛି। ମହାମେଣ୍ଟରେ ଆସନ ବଣ୍ଟନ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଆ‌ର୍‌ଜେଡିର ଟିକେଟ ନ ମିଳିବାରୁ ଜଣେ ଆଶାୟୀ ରାସ୍ତା ଉପରେ ନିଜ ସାର୍ଟ ଚିରି ତଳେ ଗଡ଼ି କାନ୍ଦିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେ ହେଉଛନ୍ତି ପୂର୍ବ ଚମ୍ପାରଣ ଜିଲ୍ଲାର ମଧୁବନ ବିଧାନସଭା ଆସନ ପାଇଁ ଆଶାୟୀ ମଦନ ଶାହ। 

Advertisment

ରବିବାର ସକାଳେ ମଦନ ରାବଡ଼ୀ ଆବାସ ବାହାରେ ଚିତ୍କାର କରିବା ସହିତ କହିଥିଲେ, ତାଙ୍କୁ ଏଠାରୁ ଟିକେଟ୍‌ ପାଇବାକୁ ହେଲେ ୨.୭୦ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଟଙ୍କା ନଦେବାରୁ ଟିକେଟ୍‌ ଅନ୍ୟ କାହାକୁ ଦିଆଗଲା। ଟିକେଟ୍‌ ମିଳିବ ବୋଲି ତାଙ୍କୁ  ନିଜେ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବ କହିଥିଲେ। ସେଥିପାଇଁ ସେ ନିଜ ପୁଅ-ଝିଅଙ୍କ ବାହାଘର ମଧ୍ୟ ଘୁଞ୍ଚାଇ ଦେଇଥିଲେ। ସୂଚନାଯୋଗ୍ୟ, ଗତଥର ଏଠାରୁ ସେ ଆର୍‌ଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ୫,୮୭୮ ଭୋଟରେ ବିଜେପିର ରାଣା ରଣଧୀର ସିଂହଙ୍କଠାରୁ ପରାଜିତ ହୋଇଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ସେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଥିଲା। ‌