୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ; ଆସାମର ରୁପାଲି ନୂଆ ଜୀବନସାଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବହୁ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ପୁଣି ଥରେ ରୁପାଲିଙ୍କ ପ୍ରେମରେ ପାଗଳ ହୋଇଛନ୍ତି।

ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ। ଗୌହାଟିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍‌ ଷ୍ଟୋର ସହ ଜଡ଼ିତ ଅଛନ୍ତି।

ଆଶିଷ ଓ ରୁପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଦୁଇଟି ସଂସ୍କୃତି- କେରଳ ଓ ଆସାମର- ଏକ ମିଶ୍ରଣ ଥିଲା। ବିବାହ ନିମନ୍ତେ ଆସାମୀ ଲଳନା ରୁପାଲି ସକାଳ ସାଢ଼େ ୬ଟାରେ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ ଏବଂ କେରଳ ବାସିନ୍ଦା ଆଶିଷ ଧଳା ଓ ସୁନା ମୁଣ୍ଡୁ ସହିତ ଏକ ସୁନ୍ଦର ଧଳା ମେଖେଲା ପିନ୍ଧି ନିଜକୁ ସଜାଇଥିଲେ।

ଅଭିନେତା ଆଶିଷ ନିଜର ୬୦ ବର୍ଷ ବୟସରେ ବିବାହ ସଂପର୍କରେ ତାଙ୍କର ଭାବନା ଗଣମାଧ୍ୟମ ସହ ବାଣ୍ଟିଥିଲେ। ସେ କହିଥିଲେ, ‘ମୋ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ। ସକାଳେ ଆମର କୋର୍ଟ ମ୍ୟାରେଜ୍‌ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତରେ ବିବାହ ହେଲା ବୋଲି ଆଶିଷ କହିଛନ୍ତି।

ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି, କିଛି ଲୋକ ଭାବୁଛନ୍ତି ଯେ ଦୁହେଁ କିପରି ସାକ୍ଷାତ କଲେ? କିଛି ତଥ୍ୟ ଦେଇ ଏ ସଂପର୍କରେ ଫ୍ୟାଶନ ଉଦ୍ୟୋଗୀ ରୁପାଲି କହିଛନ୍ତି, ‘ଆମେ କିଛି ସମୟ ପୂର୍ବରୁ ଭେଟିଥିଲୁ ଏବଂ ଆମ ସଂପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଆମେ ଦୁହେଁ ଚାହୁଁଥିଲୁ ଯେ ଆମ ବିବାହ ଏକ ଛୋଟ ପାରିବାରିକ ଉତ୍ସବ ହେଉ।’।

ବଲିଉଡରେ ଖଳନାୟକ ଭୂମିକା ପାଇଁ ଜଣାଶୁଣା ଆଶିଷ ବିଦ୍ୟାର୍ଥୀ ଭାରତୀୟ ସିନେମାରେ ଅନେକ ଫିଲ୍ମରେ କାମ କରିଛନ୍ତି। ୧୯୬୨ ମସିହା ଜୁନ୍‌ ୧୯ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା। ପରେ ୧୯୮୬ ମସିହାରୁ ଆରମ୍ଭ ହୋଇଥିବା ଅଭିନୟ କ୍ୟାରିୟରରେ ଆଶିଷ ବିଦ୍ୟାର୍ଥୀ ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ଇଂରାଜୀ, ଓଡ଼ିଆ, ମରାଠୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୧୧ଟି ଭିନ୍ନ ଭିନ୍ନ ଭାଷାର ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।

ସମ୍ବନ୍ଧିତ ଖବର