ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବି, କିନ୍ତୁ ରାଜସ୍ଥାନ ଛାଡ଼ିବି ନାହିଁ : ଗେହଲୋଟ୍

ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କଂଗ୍ରେସ ସଭାପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିବା ବିଷୟରେ ଘୋଷଣା କରିଛନ୍ତି । ତେବେ ସେ କହିଛନ୍ତି ଯେ ସେ ରାଜସ୍ଥାନ ରାଜନୀତି ସହିତ ଜଡ଼ିତ ରହିବେ ଓ ରାଜ୍ୟ ପାଇଁ କାମ କରିବା ଜାରି ରଖିବେ ।

ଗୋଟିଏ ପଟେ ରାହୁଲ ଗାନ୍ଧି କହୁଛନ୍ତି ଯେ ଦଳରେ ଗୋଟିଏ ବ୍ୟକ୍ତି ଗୋଟିଏ ପଦବୀ ରହିବ । ଅନ୍ୟପଟେ ଗେହଲୋଟ କହୁଛନ୍ତି ଯେ ସେ ରାଜସ୍ଥାନ ରାଜନୀତି ସହ ଜଡ଼ିତ ରହିବେ । ଏଥିରୁ ମନେକରାଯାଉଛି ଯେ, ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଆଗ୍ରହୀ ନୁହନ୍ତି ।

ତେବେ ସେ କହିଛନ୍ତି ଯେ, ରାଜସ୍ଥାନରେ ଆଗକୁ କଣ ହେବ ତାହା ସମୟ କହିବ । ସବୁକିଛି ଦଳୀୟ ହାଇକମାଣ୍ଡ ଓ ବିଧାୟକମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ।

ଦଳର ସୂତ୍ର ଅନୁଯାୟୀ ଅଶୋକ ଗେହଲୋଟଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ରହିଛି । କଂଗ୍ରେସର ଏହି ଭେଟେରାନ ନେତା ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ବସ୍ତ ଭାବେ ଜଣାଶୁଣା । ସେହିପରି ସଭାପତି ନିର୍ବାଚନ ଲଢିବାକୁ ଥରୁରଙ୍କୁ ସୋନିଆ ଅନୁମତି ଦେଇସାରିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ କର୍ମୀମାନଙ୍କର ଏକ ବୃହତ ବିଭାଗ ତଥାପି ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ସେମାନଙ୍କୁ ନେତୃତ୍ୱ ଦିଅନ୍ତୁ ଏବଂ ଦଳର ଅନେକ ରାଜ୍ୟ ୟୁନିଟ୍ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସତ୍ତ୍ବେ ସଭାପତି ହେବାକୁ ରାହୁଲ ରାଜି ହେଉନାହାନ୍ତି ।

 

 

ସମ୍ବନ୍ଧିତ ଖବର