ଜୟପୁର: ରାଜସ୍ଥାନ କଂଗ୍ରେସରେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ବିଧାନସଭା ଅଧିବେଶନ ଡକାଯିବାକୁ କେନ୍ଦ୍ରକରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ରାଜ୍ୟପାଳ କଲ୍‌ରାଜ ମିଶ୍ରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ଅଧିକ ତିକ୍ତ ଓ ଉଗ୍ର ହେଉଛି। ବିଧାନସଭା ଅଧିବେଶନ ଡାକିବା ପାଇଁ ଗେହଲଟ୍‌ କ୍ୟାବିନେଟର ୨ଟି ପ୍ରସ୍ତାବକୁ ରାଜ୍ୟପାଳ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗତକାଲି ସରକାରଙ୍କ ପ୍ରସ୍ତାବ ଗ୍ରହଣ ପାଇଁ ୩ଟି ସର୍ତ୍ତ ରଖଥିଲେ।

Advertisment

ରାଜ୍ୟପାଳଙ୍କ ଦ୍ୱାରା ପ୍ରଦତ୍ତ ୩ଟି ସର୍ତ୍ତ ଉପରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ତାଙ୍କ ବାସଭବନରେ ଆଜି ପୂର୍ବାହ୍ନରେ ଏକ କ୍ୟାବିନେଟ ବୈଠକ ଡକାଇଥିଲେ। ଏହି କ୍ୟାବିନେଟ ବୈଠକ ଦୀର୍ଘ ଦୁଇଘଣ୍ଟା ଧରି ଚାଲିବା ପରେ ଏଇମାତ୍ର ଶେଷ ହୋଇଛି। ରାଜ୍ୟପାଳଙ୍କ ୩ଟି ସର୍ତ୍ତ ଉପରେ କ୍ୟାବିନେଟ ବୈଠକରେ କି ନିଷ୍ପତ୍ତି ନିଆଗଲା ସେ ସଂପର୍କରେ ସ୍ପଷ୍ଟ ରୂପେ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ରାଜ୍ୟରେ ବିଧାନସଭା ଅଧିବେଶନକୁ ସୁଗମ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତକ୍ଷେପ ଲୋଡ଼ି ରାଜସ୍ଥାନ କଂଗ୍ରେସ ବିଧାନସଭା ଦଳ ତାଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି।

publive-image NDTV

କ୍ୟାବିନେଟ ବୈଠକ ପରେ ରାଜସ୍ଥାନ ମନ୍ତ୍ରୀ ହରିଶ ଚୌଧୁରୀ କହିଛନ୍ତି ଯେ ବିଧାନସଭା ଅଧିବେଶନ ଡାକିବା ହେଉଛି ଆମର ଅଧିକାର। ଆମେ ରାଜ୍ୟପାଳଙ୍କ ଚିନ୍ତାଧାରା ଉପରେ ନିଜର ଉତ୍ତର ରଖିସାରିଛୁ। ବିଧାନସଭାକୁ ଡାକିବା ଆମର ଅଧିକାର ଏବଂ ଅଧିବେଶନ କିପରି ଅନୁଷ୍ଠିତ ହେବ, ତାହା ହେଉଛି ବାଚସ୍ପତିଙ୍କ ଅଧିକାର। ଜୁଲାଇ ୩୧ରେ ଆମେ ବିଧାନସଭା ଅଧିବେଶନ ବସୁ ବୋଲି ଚାହୁଁ ବୋଲି କହିଛନ୍ତି ମନ୍ତ୍ରୀ ହରିଶ ଚୌଧୁରୀ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି।

publive-image News Nation

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଧାନସଭା ଅଧିବେଶନ ଡାକିବା ପାଇଁ ଗେହଲଟ୍‌ କ୍ୟାବିନେଟର ୨ଟି ପ୍ରସ୍ତାବକୁ ରାଜ୍ୟପାଳ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗତକାଲି ସରକାରଙ୍କ ପ୍ରସ୍ତାବ ଗ୍ରହଣ ପାଇଁ ୩ଟି ସର୍ତ୍ତ ରଖିଥିଲେ। କରେନା ମହାମାରୀ ସମୟରେ ଅଧିବେଶନ ଡାକିବା ପାଇଁ ସରକାର ୨୧ ଦିନିଆ ନୋଟିସ୍‌ ଦିଅନ୍ତୁ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟପାଳଙ୍କର ଅନ୍ୟତମ ସର୍ତ୍ତ ଥିଲା ଯଦି ବିଧାନସଭାରେ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ତାହେଲେ ଏହାର ସିଧା ପ୍ରସାରଣ କିମ୍ବା ଭିଡିଓ ରେକର୍ଡିଂ କରାଯିବା ଉଚିତ୍‌। ସେହିପରି ରାଜ୍ୟପାଳଙ୍କ ଆଉ ଏକ ସର୍ତ୍ତ ଥିଲା ବିଧାନସଭାରେ କରୋନାବେଳେ ଅଧିବେଶନ ସମୟରେ ସାମାଜିକ ଦୂରତା ରକ୍ଷା କରିବା। ରାଜ୍ୟପାଳଙ୍କ ଏହି ୩ଟି ସର୍ତ୍ତ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଆଜି କ୍ୟାବିନେଟ ବୈଠକ ଡକାଇଥିଲେ।