ରାହୁଲଙ୍କ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ମନ୍ତବ୍ୟ ଶୁଣି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଗେହଲଟ ରାଜି !

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧିର ବ୍ୟବଧାନ ପରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ସଭାପତି ପଦବୀ ନିମନ୍ତେ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ଗୁରୁବାର ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏପଟେ ସଭାପତି ପଦବୀ ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶେ‌ାକ ଗେହଲଟ ଏହି ଦୌଡରେ ଆଗରେ ଅଛନ୍ତି। ମାତ୍ର ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଆଗ୍ରହୀ ନାହାନ୍ତି।  ତେବେ ତାଙ୍କୁ ସିଧାସଳଖ ନକହି  ପରୋକ୍ଷରେ ନାସ୍ତିବାଣୀ ଶୁଣାଇଛନ୍ତି ରାହୁଲ ଗାନ୍ଧୀ। ସେ  କହିଛନ୍ତି ଯେ, କଂଗ୍ରେସ ଦଳ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ବିଶ୍ୱାସ କରେ। ତେବେ ରାହୁଲଙ୍କ ଏଭଳି ବୟାନ ପରେ ଏବେ ନିଜର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଗେହଲଟ ମାନସିକସ୍ତରରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଲା ଅଧ୍ୟକ୍ଷ ହେବା ପୂର୍ବରୁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ କାହାକୁ ଦେଖିବାକୁ ଚାହୁଁଛନ୍ତି, ତାହା ମଧ୍ୟ ହାଇକମାଣ୍ଡଙ୍କୁ ଜଣାଇଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ବୁଧବାର ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାରରେ ଅଶୋକ ଗେହଲଟ୍ ତାଙ୍କ ପରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି କହି ସେ ଅନେକ ଦିନରୁ ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର ପକାଇ ବସିଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିକେଟ କାଟିବାକୁ ଚାହୁଁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଚର୍ଚ୍ଚା ହେଉଛି ‌ଯେ, ଅଶୋକ ଗେହଲଟ୍  ମୁଖ୍ୟମନ୍ତ୍ରୀ ସହ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ଚାହୁଁଥିବା ବେଳେ ରାହୁଲଙ୍କ ସ୍ପଷ୍ଟୀକରଣ ତାଙ୍କ ସ୍ବପ୍ନକୁ ଭାଙ୍ଗିଦେଇଛି। ଏ ନେଇ ସେ ଅଧ୍ୟକ୍ଷ ପଦ ସହ ରାଜସ୍ଥ‌ାନରେ ନିଜର ଗୁରୁତ୍ବ ବଜାୟ ରଖିବା ପାଇଁ ନିଜର ଅନୁଗାମୀ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ଏଭଳି ହେଲେ ଆଗାମୀ ନିର୍ବାଚନରେ ସେ ​​ତାଙ୍କ ବିଶ୍ୱସ୍ତ ନେତାଙ୍କ ପାଇଁ ଟିକେଟ୍ ବ୍ୟବସ୍ଥା କରିପାରିବେ।

ସମ୍ବନ୍ଧିତ ଖବର