ଅଶୋକ ଗେହଲଟ୍ ଓ ସଚିନ୍‌ ପାଇଲଟ ଉଭୟେ ଲଢ଼ିବେ ରାଜସ୍ଥାନ ବିଧାନସଭା ନିର୍ବାଚନ; ହେଲେ, କିଏ ହେବ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଉତ୍କଣ୍ଠା ଜାରି

ନୂଆଦିଲ୍ଲୀ: ରାଜସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ୍‌ ପାଇଲଟ ଉଭୟେ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ‘ମୁଁ ଏବଂ ସଚିନ୍‌ ପାଇଲଟ୍‌ ଉଭୟେ ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ଲଢ଼ିବୁ’, ବୋଲି ଆଜି ଅପରାହ୍ଣରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ପୂର୍ବରୁ ରାଜସ୍ଥାନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ଦଳର ବରିଷ୍ଠ ନେତା ଅଶୋକ ଗେହଲଟ୍ ।

ଅନ୍ୟ ପକ୍ଷରେ ଏହି ସାମ୍ବାଦିକ ସମ୍ମିଳନୀରେ ସଚିନ୍‌ ପାଇଲଟ କହିଛନ୍ତି, ‘କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଓ ଗେହଲଟଜୀଙ୍କ ଅନୁରୋଧ କ୍ରମେ ମୁଁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି।’ ସଚିନ୍‌ ପାଇଲଟ ରାଜସ୍ଥାନରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଥାଇ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ବରିଷ୍ଠ ନେତା ଅଶୋକ ଘେଲୋଟ ପୂର୍ବରୁ ରାଜ୍ୟରେ ଦୁଇଦୁଇ ଥର କଂଗ୍ରେସ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ତେବେ, ଚଳିତ ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଗେହଲଟଙ୍କ ଲୋକପ୍ରିୟତା କମୁଥିବା ଦେଖିବା ପରେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ରାଜସ୍ଥାନରୁ ଅପସାରଣ କରି ଦିଲ୍ଲୀ ନେଇ ଆସିବା ସହ ଏଆଇସିସିର ସାଧାରଣ ସଂପାଦକ ପଦବୀରେ ଅବସ୍ଥାପିତ କରିବା ସହ ସଚିନ୍‌ ପାଇଲଟଙ୍କୁ ରାଜସ୍ଥାନରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଭାବେ ଅବସ୍ଥାପିତ କରିଥିଲେ। କଂଗ୍ରେସ ପକ୍ଷରୁ କରାଯାଇଥିବା ସର୍ଭେରେ ଗେହଲଟଙ୍କ ଲୋକପ୍ରିୟତା ରାଜସ୍ଥାନରେ ୧୫.୫୬ ପ୍ରତିଶତ ଥିବାବେଳେ ପାଇଲଟଙ୍କ ଲୋକପ୍ରିୟତା ଥିଲା ୩୧.୭୫ ପ୍ରତିଶତ।

ତେଣୁ, ବର୍ତ୍ତମାନର ପରିସ୍ଥିତିରେ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ୍‌ ପାଇଲଟ ଉଭୟେ ନିର୍ବାଚନ ଲଢ଼ୁଥିବାରୁ କିଏ ହେବ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ, ସାମ୍ବାଦିକମାନଙ୍କର ଏ ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବରିଷ୍ଠ କଂଗ୍ରେସ ନେତା ଗେହଲଟ୍ ସ୍ପଷ୍ଟ କରି ଦେଇଛନ୍ତି ଯେ ସ୍ୱାଧୀନତା ପରଠାରୁ କଂଗ୍ରେସର ପରମ୍ପରା ରହିଛି ଯେ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ କାହାକୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରେ ନାହିଁ। ନିର୍ବାଚନ ପରେ ହାଇକମାଣ୍ଡ ଯାହା ଉପରେ ଆସ୍ଥା ପ୍ରକଟ କରିବେ, ସେ ହେବେ ମୁଖ୍ୟମନ୍ତ୍ରୀ। ରାଜସ୍ଥାନ କ୍ଷେତ୍ରରେ ମଧ୍ୟ ଏହି ପ୍ରଥାର ଅବଲମ୍ବନ ହେବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର