ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଙ୍ଗଳବାର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜନସାଧାରଣଙ୍କୁ ସୂଚନା ଦେଇ ଗେହଲଟ୍ କହିଛନ୍ତି ଯେ ସେ ମଧ୍ୟ କୋଭିଡ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
‘ମୁଁ ନିଜେ କୋଭିଡର ସାମାନ୍ୟ ଲକ୍ଷଣରେ ସଂକ୍ରମିତ ହୋଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ନିଜ ବାସଭବନରୁ କାମ ଜାରି ରଖିବି। ସମସ୍ତେ ଯତ୍ନ ନିଅନ୍ତୁ ଏବଂ କୋଭିଡ ପ୍ରୋଟୋକଲ୍ ପାଳନ କରନ୍ତୁ ବୋଲି ଗେହଲଟ୍ ଟ୍ଵିିଟ୍ କରି କହିଛନ୍ତି।
ସେହିପରି ବସୁନ୍ଧରା ରାଜେ ଟ୍ଵିଟ୍ କରି କହିଛନ୍ତି ଯେ ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେସନ୍ (ପୃଥକବାସ)ରେ ରଖିଛନ୍ତି। କୋଭିଡ୍ ପରୀକ୍ଷାରେ ମୋ ରିପୋର୍ଟ ପଜିଟିଭ୍ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ସମ୍ପୂର୍ଣ୍ଣ ଆଇସୋଲେସନ୍ରେ ଅଛି ବୋଲି ରାଜେ ଟ୍ଵିଟ୍ କରି କହିଛନ୍ତି।
ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇବା ସହ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୋମବାର ରାଜ୍ୟରେ ୧୭ଟି ନୂଆ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୧୮୯ ଜଣ କୋଭିଡ୍ ସଂକ୍ରମିତ ଏବେ ଚିକିତ୍ସାଧୀନ ଅଛନ୍ତି।