ଚେନ୍ନାଇ: ଟ୍ରକ ଓ ବସ ଭଳି ଯାନ ଉତ୍ପାଦନ କରୁଥିବା ଅଶୋକ ଲେଲ୍ୟାଣ୍ଡ କମ୍ପାନୀ ଆସନ୍ତା ୫ ଦିନ ଯାଏଁ ଏହାର ପ୍ଲାଣ୍ଟକୁ ବନ୍ଦ କରିବ ବୋଲି ଘୋଷଣା କରିଛି | ଏଭଳି ହେଲେ ଏହି କମ୍ପାନୀର ୫ ହଜାର କର୍ମଚାରୀ ଘରେ ବସି ରହିବେ ବୋଲି ଜଣାପଡିଛି | ବିଶେଷ କରି ବଜାରରେ ଗାଡ଼ି ବିକ୍ରି ହେଉନଥିବାରୁ ଗାଡ଼ି କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶ ଅଟକାଇବା ମଧ୍ୟ ଆରମ୍ଭ କରିଛନ୍ତି। ‌ପ୍ରଥମ କଂପାନି ଭାବେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ୧୦୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅଟକାଇ ଦେଇଛି। ଚଳିତ ବର୍ଷ ଯଦି ଏହି ନିବେଶ ନହେବ ତେବେ ଅଧିକ ଲୋକଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହେବ ବୋଲି କଂପାନିର ଏମ୍‌ଡି ପୱନ ଗୋଏଙ୍କା କହିଛନ୍ତି।

Advertisment

publive-image accessmotorstocking.com

ଆର୍ଥିକ ମାନ୍ଦାବସ୍ଥା କାରଣରୁ ଦେଶରେ ମାରୁତିର ବିକ୍ରି କମିଯିବା ପରେ ଗତ ଅଗଷ୍ଟ ମାସରେ କମ୍ପାନି ତା’ର ଗାଡ଼ି ଉତ୍ପାଦନ ହାରରେ ୩୩.୯୯ ପ୍ରତିଶତ କମ କରି ଦେଇଥିଲା। ହେଲେ, ଏହା ସତ୍ତ୍ୱେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ଶେଷରେ କମ୍ପାନି ତା’ର ଗୁରୁଗ୍ରାମ ଓ ମାନେସରରେ ଥିବା ଦୁଇଟି ଗାଡ଼ି ଉତ୍ପାଦନ ପ୍ଲାଣ୍ଟକୁ ୨ ଦିନ ପାଇଁ ବନ୍ଦ ଘୋଷଣା କରିଦେବା ସହ ଉତ୍ପାଦନକୁ ସଂପୂର୍ଣ୍ଣ ରୂପେ ବନ୍ଦ ରଖିଛି। ବ୍ୟାଙ୍କ ଋଣ ଉପରେ ଅଧିକ ସୁଧ, ଇନ୍ଧନ ଦର ବୃଦ୍ଧି ଏବଂ ଗାଡ଼ିର ବୀମା ପ୍ରିମିୟମ୍‌‌ରେ ମାତ୍ରାଧିକ ବୃଦ୍ଧି ଯୋଗୁ ଗାଡ଼ିଗୁଡ଼ିକର କିଣା ଦାମ୍ ବହୁତ ବଢ଼ିଯାଇଛି।

ଗାଡ଼ି ଦାମ୍‌ରେ ୧୩-୩୦% ବୃଦ୍ଧି ହୋଇଛି। ସେଥିପାଇଁ ଉତ୍ସବ ଋତୁରେ ମଧ୍ୟ ଗାଡ଼ି ବିକ୍ରି ମାନ୍ଦା ରହିଛି। ଗ୍ରାହକଙ୍କ ଚାହିଦା ପୂରଣ କରିବା ଲାଗି କଂପାନିଗୁଡ଼ିକ ବିପୁଳ ପରିମାଣର ଗାଡ଼ି ଉତ୍ପାଦନ କରିଥିଲେ। ତାହା ଏବେ କାରଖାନାରେ ପଡ଼ିରହିଛି। ଗାଡ଼ି ବଜାରରେ ସଙ୍କଟ ଯୋଗୁ ସାଢ଼େ ତିନି ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇଥିବା ଦାବି କରାଯାଉଛି। ବଡ଼ ଗାଡ଼ି କଂପାନିଗୁଡ଼ିକୁ ଯନ୍ତ୍ରାଂଶ ଯୋଗାଉଥିବା କ୍ଷେତ୍ରରେ ୪୦ ଲକ୍ଷ କର୍ମଚାରୀ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ତିନି ଲକ୍ଷ ବେରୋଜଗାର ହୋଇପଡ଼ିଛନ୍ତି। ଆଉ ୧୦ ଲକ୍ଷ ଲୋକଙ୍କ ଚାକିରି ପ୍ରତି ବିପଦ ରହିଛି। ବଡ଼ ଗାଡ଼ି କଂପାନିଗୁଡ଼ିକ ୧୫ ହଜାର କର୍ମଚାରୀ ଛଟେଇ କରିଥିବା କୁହାଯାଉଛି। ଏହା ବ୍ୟତୀତ ଦେଶରେ ୩୦୦ରୁ ଅଧିକ ଗାଡ଼ି ସୋ’ରୁମ୍ ବନ୍ଦ ହୋଇଛି। ‌