ନୂଆଦିଲ୍ଲୀ: ଇତିମଧ୍ୟରେ ଏନ୍‌ଡିଏ ସରକାରରେ ସାମିଲ ସମସ୍ତ ମନ୍ତ୍ରୀଙ୍କ ୨୦୨୩-୨୪ ବର୍ଷର ସ୍ଥାବର ଓ ଅସ୍ଥାବର ସଂପତ୍ତି ବିବରଣୀକୁ ସାର୍ବଜନୀନ କରାଯାଇଛି। ଏଥିରେ ଓଡ଼ିଶାରୁ  ପ୍ରତିନିଧିତ୍ବ କରୁଥିବା  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ସଂପତ୍ତି ବିବରଣୀ ମଧ୍ୟ ରହିଛି। ତିନି କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ସଂପତ୍ତି ଅଶ୍ବିନୀଙ୍କ ରହିଛି। ୨୦୨୨-୨୩ରେ ତାଙ୍କ ସମ୍ପତ୍ତି ୧୧୮ କୋଟି ୨୮ ଲକ୍ଷ ୨୧ ହଜାର ୧୮୦ ଟଙ୍କା ଥିବା ବେଳେ ଏହା ୧୧.୫୬ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୧୩୧ କୋଟି ୯୩ ଲକ୍ଷ ୧୩ ହଜାର ୮୦୩ ଟଙ୍କାରେ ପହଞ୍ଚିଛି। ଅଶ୍ବିନୀଙ୍କ ୨୦୨୩-୨୪ ସଂପତ୍ତି ବିବରଣୀରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ପ୍ରାଚୀ ଏନ୍‌କ୍ଲେଭ ଫେଜ୍‌-୨ରେ ୧.୩୨ କୋଟି ଟଙ୍କାର ପ୍ଲଟ୍‌, ଗୁଜରାଟ ଅହମଦାବାଦରେ ୪୦ ଲକ୍ଷ ଟଙ୍କାର ପ୍ଲଟ୍‌, ୩୨,୭୫୦ ଟଙ୍କାର କ୍ୟାସ ବାଲାନ୍ସ, ବ୍ୟାଙ୍କରେ ୧୧,୯୨,୧୫,୮୩୩ ଟଙ୍କାର ଜମାରାଶି,ଏମ୍ପ୍ଲୟର୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ରେ ୧,୭୫,୨୦,୯୬୯ ଟଙ୍କା , ଅନକୋଟେଡ ସିକ୍ୟୁରିଟିଜ୍‌ ବାବଦରେ ୧୧୪.୪୬ କୋଟି ଟଙ୍କା, ୮,୪୪,୨୫୧ ଟଙ୍କାର ବୀମା ପଲିସି, ଋଣ ଓ ଅଗ୍ରୀମ ବାବଦରେ ୧. ୭୭ କୋଟି ଟଙ୍କା ଓ ୨୨ ଲକ୍ଷ ଟଙ୍କାର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। ଅଶ୍ବିନୀଙ୍କ ସହ ତାଙ୍କ ପତ୍ନୀ ସୁନିତା ବୈଷ୍ଣବଙ୍କ ମୋଟ ସମ୍ପତ୍ତି ପରିମାଣ ୧୫୯ କୋଟି ୪୪ ଲକ୍ଷ ୯୫ ହଜାର ୩୪୪ ଟଙ୍କା ବୋଲି ବିବରଣୀରେ ଉଲ୍ଲେଖ ରହିଛି। 

Advertisment

ଓଡ଼ିଶାର ତିନି କେନ୍ଦ୍ରମନ୍ତ୍ରୀଙ୍କ ସଂପତ୍ତି ବିବରଣୀ ସାର୍ବଜନୀନ
ଜୁଏଲଙ୍କ ସମ୍ପତ୍ତି ୪.୭୮ କୋଟି ଓ ଧର୍ମେନ୍ଦ୍ରଙ୍କ ୨.୩୨ କୋଟି

ଜୁଏଲଙ୍କ ଦ୍ବାରା ଦାଖଲ ବିବରଣୀରେ ତାଙ୍କର ସମ୍ପତ୍ତି ପରିମାଣ ୪ କୋଟି ୭୮ ଲକ୍ଷ ୧୯ ହଜାର ୫୨ ଟଙ୍କା ବୋଲି ଦର୍ଶାଯାଇଛି।। ଜୁଏଲଙ୍କ ପାଖରେ ୮୦ ହଜାର ଟଙ୍କାର କ୍ୟାସ୍‌ ,ଏଫ୍‌ଡିଆର୍‌,ଟର୍ମ ଡିପୋଜିଟ୍‌ ଓ ଅନ୍ୟାନ୍ୟ ବ୍ୟାଙ୍କ ଡିପୋଜିଟ୍‌ ବାବଦରେ ୧,୨୫,୯୨,୬୮୯ ଟଙ୍କା, ବୀମା ପଲିସି ବାବଦରେ ୨୨,୮୯,୫୪୦ ଟଙ୍କା, ମୋଟର ଯାନ ବାବଦରେ ୧,୫୧,୦୦୦ ଟଙ୍କା, ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ୧୯,୩୧,୦୦୦ ଟଙ୍କାର  ଓ ୨ ଲକ୍ଷ ଟଙ୍କାର ହାଉସହୋଲ୍‌ଡ ସାମଗ୍ରୀ ରହିଛି। ସ୍ଥାବର ସଂପତ୍ତିରେ ତାଙ୍କର ୫୮,୪୯,୫୪୯ ଟଙ୍କା ମୂଲ୍ୟର କୃଷି ଜମି;  ୬,୦୮,୦୦୦ ଟଙ୍କା ମୂଲ୍ୟର ଅଣକୃଷି ଜମି ତଥା ୨ କୋଟି ୫୬ ଲକ୍ଷ ଟଙ୍କା ମୂଲ୍ୟର ଆବାସିକ କୋଠା ଥିବା ବିବରଣୀରେ ଉଲ୍ଲେଖ ରହିଛି। ତାଙ୍କ ଉପରେ ୬୮,୭୮,୦୮୮ ଟଙ୍କାର ବ୍ୟକ୍ତିଗତ ଋଣ ରହିଛି। ଜୁଏଲ, ତାଙ୍କ ସ୍ବର୍ଗତା ପତ୍ନୀ ଓ ଝିଅଙ୍କର ମୋଟ ସଂପତ୍ତିର ପରିମାଣ ୮,୨୧,୬୫,୪୨୫ ଟଙ୍କା ତଥା ଲାୟବିଲିଟି ୧,୦୩,୬୧,୬୧୬ ଟଙ୍କା ବୋଲି ବିବରଣୀରୁ ଜଣାପଡ଼ିଛି। 

ସେହିଭଳି ଧର୍ମେନ୍ଦ୍ରଙ୍କ ଦ୍ବାରା ଦାଖଲ ୨୦୨୩-୨୪ ବର୍ଷର ସମ୍ପତ୍ତି ବିବରଣୀରେ ତାଙ୍କର ୨,୩୨,୦୩,୩୩୨ ଟଙ୍କାର ସଂପତ୍ତି ରହିଛି। ଏଥିରୁ ୩୨,୭୯,୮୬୧ ଟଙ୍କାର ଲାୟବିଲିଟିକୁ ବାଦ ଦେଲେ ତାଙ୍କ ମୋଟ ସଂପତ୍ତିର ମୂଲ୍ୟ  ୧,୯୯,୨୩,୪୭୧ ଟଙ୍କା। ୨୦୨୨-୨୩ରେ ଧର୍ମେନ୍ଦ୍ରଙ୍କ ସଂପତ୍ତି ୨,୨୪,୩୮,୬୬୭ ଟଙ୍କା ଥିଲା।  ସେଥିରୁ ୪୩,୯୫,୩୩୪ ଟଙ୍କାର ଲାୟବିଲିଟିକୁ ବାଦ ଦେଇ ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧,୮୦,୪୩,୩୩୩ ଟଙ୍କା ରହିଥିଲା । ୨୦୨୩-୨୪ ସ୍ଥାବର ସଂପତ୍ତିରେ ଧର୍ମେନ୍ଦ୍ରଙ୍କ ଗାଜିଆବାଦରେ ଥିବା ଘରର ମୂଲ୍ୟ ୬୦ ଲକ୍ଷ ଟଙ୍କା, ଅନୁଗୁଳ ଜିଲ୍ଲା ସତ୍ୟବନ୍ଧ ମୌଜାରେ ୩୨ ଲକ୍ଷ ୫୦ ହଜାର ଟଙ୍କାର ଘରବାଡ଼ି ରହିଛି। ଏଥି ସହିତ ବ୍ୟାଙ୍କରେ ୬୦,୯୪,୬୬୯ ଟଙ୍କାର ଏଫ୍‌ଡିଆର ଓ ପିପିଏଫ୍‌; ୬୧,୯୯,୯୬୮ ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍, ୭୩,୬୯୫ ଟଙ୍କାର ମୋଟର ଯାନ, ୧୩,୫୦,୦୦୦ ଟଙ୍କାର ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଓ ୨,୩୫,୦୦୦ ଟଙ୍କାର ଅନ୍ୟାନ୍ୟ ସଂପତ୍ତି ସହ କ୍ୟାସ ବାଲାନ୍‌ସ ରହିଛି।। ଶ୍ରୀ ପ୍ରଧାନଙ୍କ ଦ୍ବାରା ଦାଖଲ କରାଯାଇଥିବା ସଂପତ୍ତି ତାଲିକାରେ ତାଙ୍କ ସହଧର୍ମିଣୀ ମୃଦୁଳା ପ୍ରଧାନଙ୍କ ସମୁଦାୟ ସଂପତ୍ତିର ମୂଲ୍ୟ  ୪,୧୨,୬୫,୬୫୫ ଟଙ୍କା, ଝିଅ ନୈମିଷାଙ୍କ ପାଖରେ ୨୫,୧୯,୪୭୪ ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ଓ ପୁଅ ନିଶାନ୍ତଙ୍କ ପାଖରେ ଜୀବନ ବୀମା ଓ ବ୍ୟାଙ୍କ ଡିପୋଜିଟ ବାବଦରେ ମୋଟ ୧,୫୫,୮୦୯ ଟଙ୍କା ରହିଥିବା ନେଇ ଧର୍ମେନ୍ଦ୍ରଙ୍କ ଦ୍ବାରା ଦାଖଲ ସଂପତ୍ତି ବିବରଣୀରେ ଉଲ୍ଲେଖ ରହିଛି।