ନୂଆଦିଲ୍ଲୀ: ଭାରତରୁ ୨୦୨୫ରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ହୋଇଛି । ତେବେ ଆଗକୁ ସେମିକଣ୍ଡକ୍ଟର ଶିଳ୍ପରେ ଦ୍ରୁତ ଅଭିବୃଦ୍ଧି ଯୋଗୁ ଏହି ରପ୍ତାନି ଆହୁରି ବଢ଼ିବା ଆଶା ରହିଛି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ରପ୍ତାନି ବୃଦ୍ଧି ମାଧ୍ୟମରେ ୨୫ ଲକ୍ଷ ଲୋକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। 

Advertisment

ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ୧୧.୩ ଲକ୍ଷ କୋଟି ଟଙ୍କାର ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନ ହୋଇପାରିଛି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୫ରେ ଭାରତରୁ ୨.୦୩ ଲକ୍ଷ କୋଟି ଟଙ୍କାର ଆଇଫୋନ୍‌ ରପ୍ତାନି ହୋଇଛି, ଯାହାକି ୨୦୨୪ରେ ହୋଇଥିବା ଆଇଫୋନ୍‌ ରପ୍ତାନିର ଦୁଇଗୁଣ। ଚଳିତ ଆର୍ଥିକ ବର୍ଷରେ ଦେଶରେ ୫.୫ ଲକ୍ଷ କୋଟି ଟଙ୍କାର ମୋବାଇଲ୍‌ ଫୋନ୍‌ ଉତ୍ପାଦନ ହୋଇଥିବା ବେଳେ ରପ୍ତାନି ଦୁଇ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତେବେ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧିକୁ ବଳ ଯୋଗାଉଛି ସେମିକଣ୍ଡକ୍ଟର୍‌ ଶିଳ୍ପ। ଏଗୁଡ଼ିକ ଦେଶରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନାପ୍ରଯୁକ୍ତି ଶିଳ୍ପରେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ସହିତ ବାହାର ଦେଶକୁ ରପ୍ତାନି ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ।

ସୂଚନାଯୋଗ୍ୟ ଅତ୍ୟାଧୁନିକ ପ୍ରଯୁକ୍ତିରେ ସେମିକଣ୍ଡକ୍ଟର୍‌ର ଭୂମିକାକୁ ଦୃଷ୍ଟିରେ ରଖି ଭାରତରେ ସେମିକଣ୍ଡକ୍ଟର୍‌ ଉତ୍ପାଦନକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ୨୦୨୩ରେ ଦେଶର ପ୍ରଥମ ସେମିକଣ୍ଡକ୍ଟର୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଇତିମଧ୍ୟରେ ଭାରତ ସରକାର ୧୦ଟି ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ଭାରତ ସରକାର ଅନୁମୋଦନ ଦେଇ ସାରିଛନ୍ତି। ଗୁଜରାଟ, ଆସାମ, ଉତ୍ତରପ୍ରଦେଶ, ପଞ୍ଜାବ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏହିସବୁ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିପାଇଁ ୧.୬୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଖୁବ୍‌ଶୀଘ୍ର ୪ଟି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ।