ଏସିଆରେ କରୋନା ସଂକ୍ରମଣ ୨.୫ ଲକ୍ଷ ଛୁଇଁଲା

ରୁଷ୍‌ ଏବେ ବିଶ୍ବର ନୂଆ ହଟ୍‌ସ୍ପଟ୍‌, ଲଗାତାର ଚତୁର୍ଥ ଦିନ ଧରି ୧୦ ହଜାର ନୂଆ ମାମଲା

ଆମେରିକାରେ ନ୍ୟୁୟର୍କ ବାହାରେ ସଂକ୍ରମଣ ବଢ଼ୁଛି
ସିଙ୍ଗାପୁରରେ ମାମଲା ୨୦ ହଜାର ଟପିଲା, ଦକ୍ଷିଣପୂର୍ବ ଏସିଆରେ ସର୍ବାଧିକ
ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୫ ଲକ୍ଷ ଟପିଲା

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବରେ ୟୁରୋପ୍‌ ମହାଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୟୁରୋପ୍‌ରେ ବ୍ରିଟେନ୍‌, ଇଟାଲି ଏବଂ ସ୍ପେନ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କିନ୍ତୁ ପୂର୍ବାପେକ୍ଷା ୟୁରୋପ୍‌ରେ ସଂକ୍ରମଣର ମାତ୍ରା କମିଛି। ଅନ୍ୟପକ୍ଷେ ଏସିଆରେ ସଂକ୍ରମଣର ମାତ୍ରା ବଢ଼ିଛି। ଏସିଆରେ ସଂକ୍ରମଣ ସଂଖ୍ୟା ୨.୫ ଲକ୍ଷରେ ପହଞ୍ଚିଛି। ଭାରତ , ସିଙ୍ଗାପୁର ଏବଂ ପାକିସ୍ତାନରେ ସଂକ୍ରମଣ ମାମଲା ବଢ଼ିବା ଦ୍ବାରା ଏସିଆରେ ସଂକ୍ରମଣ ହାର ବଢ଼ିଛି। କିନ୍ତୁ ୟୁରୋପ୍‌ ଏବଂ ଉତ୍ତର ଆମେରିକା ତୁଳନାରେ ଏସିଆରେ ସ୍ଥିତି ଭଲ ଅଛି। ଏସିଆରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୫୦ ହଜାର ୬୫୦ ରହିଛି ଯାହା ବିଶ୍ବରେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ୭ ପ୍ରତିଶତ। ଆମେରିକାରେ ବି ସ୍ଥିତି ଜଟିଳ ରହିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୮୨ ହଜାର ୨୮୫ରେ ପହଞ୍ଚିଛି ଏବଂ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୩୮ହଜାର ଟପିଛି। ଆମେରିକାରେ ସର୍ବମୋଟ୍‌ ୭୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହେବେ ବୋଲି ମିନ୍ନେସୋତା ବିଶ୍ବବିଦ୍ୟାଳୟର ସଂକ୍ରାମକ ରୋଗ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ତଥା ଶୀର୍ଷ ବିଶେଷଜ୍ଞ ମିସେଲ୍‌ ଅଷ୍ଟେରହମ୍‌ କହିଛନ୍ତି। ଆମେରିକାରେ ଏବେ ନ୍ୟୁୟର୍କ ବାହାରେ ସଂକ୍ରମଣ ବଢ଼ିଛି। ରାଜ୍ୟ ଗୁଡ଼ିକ ଧୀ‌ରେଧୀରେ ଲକ୍‌ଡାଉନ୍‌ ନିୟମ କୋହଳ କରୁଥିବାବେଳେ ନୂଆ ମାମଲା ବଢ଼ିବା ଚିନ୍ତାଜନକ ହୋଇଛି।

ରୁଷ୍‌ ଏବେ ଭାଇରସ୍‌ର ନୂଆ ହଟସ୍ପଟ୍‌ ହୋଇଛି। ରୁଷ୍‌‌ରେ ଲଗାତାର ୪ ଦିନ ଧରି ୧୦,୦୦୦ରୁ ଅଧିକ ନୂଆ ମାମଲା ରେକର୍ଡ କରାଯାଇଛି। ବିଶ୍ବରେ ସବୁଠୁ ଅଧିକ ସଂକ୍ରମଣ ମାମଲା ଥିବା ରାଷ୍ଟ୍ର ତାଲିକାରେ ରୁଷ୍‌ ଷଷ୍ଠ ସ୍ଥାନ‌ରେ ରହିଛି। ସଂକ୍ରମଣ ମାମଲାରେ ରୁ‌ଷ୍‌ ଜର୍ମାନୀକୁ ଟପିଯାଇଥିବା କୁହାଯାଉଛି। ରୁଷ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦,୫୫୯ ନୂଆ ମାମଲା ରେକର୍ଡ କରାଯାଇଛି। ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୫ହଜାର ୯୨୯ରେ ପହଞ୍ଚିଛି ଏବଂ ୧୫୩୭ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ରେ ଭାଇରସ୍‌ର କେନ୍ଦ୍ରସ୍ଥଳ ପାଲଟିଛି ରାଜଧାନୀ ମସ୍କୋ। ଏଠାରେ ୮୫ହଜାର ୯୭୩ ଜଣ ସଂକ୍ରମିତ ହୋଇଥିବାବେଳେ ୮୬୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରୁଷ୍‌ରେ ସଂକ୍ରମଣ ମାମଲା ବଢ଼ୁଥିଲେ ମଧ୍ୟ ଇଟାଲି, ସ୍ପେନ୍‌ ଏବଂ ଆମେରିକା ତୁଳନାରେ ରୁଷ୍‌ରେ ମୃତ୍ୟୁହାର ବହୁତ କମ୍‌ ରହିଛି। ସେପଟେ ସିଙ୍ଗାପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସିଙ୍ଗାପୁର୍‌ରେ ୭୮୮ ନୂଆ ମାମଲା ସହ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨୦ହଜାର ଟପିଯାଇଛି। ଦକ୍ଷିଣପୂର୍ବ ଏସିଆରେ ସର୍ବାଧିକ ମାମଲା ସିଙ୍ଗାପୁର୍‌ରେ ରହିଛି। ଏଥିସହ ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ଲକ୍ଷ ୪୭ ହଜାର ୮୫୦ ପହଞ୍ଚିଛି ଏବଂ ୨ଲକ୍ଷ ୫୮ହଜାର ୯୮୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୫ ଲକ୍ଷ ଟପିଛି ଏବଂ ୨୫ହଜାର୬୧୩ ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲିରେ ୨ ଲକ୍ଷ ୧୩ ହଜାରରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ୨୯ ହଜାର ୩୧୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବ୍ରିଟେନ୍‌ରେ ମୃତ୍ୟୁ ସଂଖ୍ୟା ୩୩ ହଜାର ପହଞ୍ଚିବ।

ସମ୍ବନ୍ଧିତ ଖବର