ଦୁବାଇ : ଭାରତ-ପାକିସ୍ତାନ ମ୍ୟାଚରେ ପାକିସ୍ତାନ ଟିମ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । କିନ୍ତୁ ପାକିସ୍ତାନ ପାଇଁ ଆହୁରି ବଡ଼ ଲଜ୍ଜାଜନକ ପରିସ୍ଥିତି ଫାଇନାଲରେ ସୃଷ୍ଟି ହୋଇପାରେ । ଯଦି ଭାରତ ଫାଇନାଲରେ ପ୍ରବେଶ କରେ, କିନ୍ତୁ ପାକିସ୍ତାନ ପ୍ରବେଶ ନ କରେ, ତଥାପି ମଧ୍ୟ ପାକିସ୍ତାନ ବେଜ୍ଜତ ହେବାର ସମ୍ଭାବନା ରହିଛି । ଏପରି ଏକ ଯୋଜନା ପ୍ରସ୍ତୁତ କରିଛି ସୂର୍ଯ୍ୟକୁମାରଙ୍କ ଦଳ ।
କଥା ହେଉଛି ଏସୀୟ କ୍ରିକେଟ ପରିଷଦ (ଏସିସି)ର ମୁଖ୍ୟ ଅଛନ୍ତି ମୋହସିନ ନକବୀ । ପରମ୍ପରା ଅନୁସାରେ ଏସୀୟ ଚାମ୍ପିୟନ ଏସିସି ମୁଖ୍ୟଙ୍କଠାରୁ ଟ୍ରଫି ଗ୍ରହଣ କରେ । କିନ୍ତୁ ଭାରତୀୟ ଦଳର ଯୋଜନା ଅନୁସାରେ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଫାଇନାଲରେ ଯଦି ଭାରତ ପ୍ରବେଶ କରେ, ତେବେ ନକବୀଙ୍କଠାରୁ ଟ୍ରଫି ଗ୍ରହଣ କରାଯିବ ନାହିଁ । ଏପରିକି ତାଙ୍କ ସହ ମଞ୍ଚରେ କୌଣସି ଭାରତୀୟ ଖେଳାଳି ରହିବେ ନାହିଁ ।
ସୂଚନାଯୋଗ୍ୟ ଯେ, ରବିବାର ଭାରତ-ପାକିସ୍ତାନ ମ୍ୟାଚର ଟସ ପଡ଼ିବା ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇନଥିଲେ । ଏଥିରେ ଖପ୍ପା ହୋଇ ପିସିବି ଆଇସିସି ନିକଟରେ ଆବେଦନ କରିଛି ଏବଂ ଭାରତ-ପାକିସ୍ତାନ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଏସିଆ କପରୁ ହଟାଇବା ପାଇଁ ଦାବି କରିଛି। ଏପରିକି ଏସିଆ କପକୁ ଅଧାରୁ ଛାଡ଼ିଦେବାକୁ ପାକିସ୍ତାନ ଧମକ ଦେଇଛି ।