ଆମେରିକା ସିନେଟର ପେଲୋସିଙ୍କ ଏସିଆ ଗସ୍ତ ଆରମ୍ଭ, ତାଇଓ୍ବାନ ଯିବା ସମ୍ଭାବନା

ସିଂଗାପୁର : ଆମେରିକୀୟ ସିନେଟର ନାନ୍ସି ପେଲୋସିଙ୍କ ବହୁ ଚର୍ଚ୍ଚିତ ଏସିଆ ଗସ୍ତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସେ ସିଂଗାପୁରରେ ପହଞ୍ଚିଛନ୍ତି । ମାତ୍ର ସେ ତାଇଓ୍ବାନ ଯିବେ କି ନାହିଁ ତାହାକୁ ନେଇ ସଂଦେହ ଜାରି ରହିଛି । ଗୋଟିଏ ପଟେ ଚୀନ ତାଙ୍କର ତାଇଓ୍ବାନ ଗସ୍ତକୁ ତୀବ୍ର ବିରୋଧ କରୁଥିବାବେଳେ ତାଇଓ୍ବାନର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ମଙ୍ଗଳବାର ରାତିରେ ତାଇଓ୍ବାନରେ ପହଞ୍ଚିବେ । ତେବେ ଆମେରିକା ପକ୍ଷରୁ ଏ ନେଇ କିଛି ଘୋଷଣା କରାଯାଇନାହିଁ ।

ଯଦି ପେଲୋସି ତାଇଓ୍ବାନ ଗସ୍ତ କରନ୍ତି ତାହା ୧୯୯୭ ପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଜନ ପ୍ରତିନିଧିଙ୍କ ତାଇଓ୍ବାନ ଗସ୍ତ ହେବ । ଏହି ଗସ୍ତକୁ ଚୀନ ତୀବ୍ର ବିରୋଧ କରିବା ସହ ଏହା ନିଆଁରେ ଖେଳିବା ସହ ସମାନ ହେବ ବୋଲି ପୂର୍ବରୁ କହିସାରିଛି । ଆମେରିକା ଓ ତାଇଓ୍ବାନକୁ କେବଳ ଚେତାବନୀ ଦେଇ ଚୁପ ହୋଇନି ଚୀନ । ଗତ ଶନିବାରଦିନ ତାଇଓ୍ବାନ ଜଳସୀମା ନିକଟରେ ଚୀନର ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ଗତ ଦୁଇ ବର୍ଷ ହେଲା ଚୀନର ଯୁଦ୍ଧ ବିମାନ ନିୟମିତଭାବେ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି ।

 

ସମ୍ବନ୍ଧିତ ଖବର