ଆସିଆନ୍‌ ସମ୍ମିଳନୀ ଆରମ୍ଭ: ଚୀନ୍‌କୁ ଘେରିବାକୁ ଚତୁର୍ଦେଶୀୟ କୂଟନୀତି

ଟ୍ରମ୍ପ୍‌-ମୋଦି ଦ୍ୱିପାକ୍ଷିକ ଆଲୋଚନା ଆଜି

ମାନିଲା: ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ୍‌)ର ୫୦ତମ ସମ୍ମିଳନୀ ମାନିଲାରେ ଆଜିଠାରୁ ଆରମ୍ଭ ହେଉଛି। ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ବାଣିଜ୍ୟକୁ ଅଧିକ ସହଜ କରିବା, ପାରସ୍ପରିକ ସହଯୋଗ ବୃଦ୍ଧି, ଆତଙ୍କବାଦୀ ଏବଂ ଦକ୍ଷିଣ ଚୀନ୍‌ ସାଗର ବିବାଦ ଏହି ସମ୍ମିଳନୀର ମୁଖ୍ୟ ଏଜେଣ୍ଡାରେ ରହିଛି। ଦକ୍ଷିଣ ଚୀନ୍‌ ସାଗର ବିବାଦ ନେଇ ଚୀନ୍‌ ସ୍ଥିତି ସ୍ପଷ୍ଟ କରିବାକୁ ସମ୍ମିଳନୀର ବହୁ ପୂର୍ବରୁ ଭିଏତନାମ ଏବଂ ଫିଲିପାଇନ୍‌ସ ଦାବି କରିଥିବାରୁ ସମ୍ମିଳନୀରେ ଏହି ପ୍ରସଙ୍ଗ ସର୍ବାଧିକ ଗୁରୁତ୍ୱ ବହନ କରିବ ବୋଲି କୁହାଯାଉଛି। ଦକ୍ଷିଣ ଚୀନ୍‌ ସାଗରରେ କୌଣସି ରାଷ୍ଟ୍ରର ମୁକ୍ତ ଚଳପ୍ରଚଳ ଉପରେ କଟକଣା ଲାଗିବା ଉଚିତ ନୁହେଁ ବୋଲି ଭାରତ ତା’ର ନୀତି ସ୍ପଷ୍ଟ କରିଦେଇଛି । ଚୀନ୍‌ ସମଗ୍ର ଦକ୍ଷିଣ ଚୀନ୍‌ ସାଗରରେ ନିଜର ସାବଭୌମତ୍ୱ ଜାହିର କରୁଥିବାରୁ ଏହାକୁ ଅନ୍ୟ ରାଷ୍ଟ୍ରମାନେ ଘୋର ବିରୋଧ କରିଆସୁଛନ୍ତି। ଏ ବାବଦରେ ଅନ୍ତର୍ଜାତୀୟ ନ୍ୟୟ ଅଦାଲତର ରାୟକୁ ଚୀନ୍‌ ଗ୍ରହଣ କରିନଥିବାରୁ ଆସିଆନ୍‌ ସମ୍ମିଳନୀରେ ବିଶ୍ୱନେତାମାନେ ଚୀନ୍‌ ଉପରେ ଚାପ ସୃଷ୍ଟି କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗଦେବା ପାଇଁ ତିନି ଦିନିଆ ଗସ୍ତରେ ଆଜି ଫିଲିପାଇନ୍‌ସର ରାଜଧାନୀ ମାନିଲା ପହଞ୍ଚିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମାନିଲା ପହଞ୍ଚିବା ପରେ ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହିତ ଅନୌପଚାରିକ ଆଲୋଚନା କରିଛନ୍ତି। ଉଭୟ ନେତା ଆସନ୍ତାକାଲି ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି। ମୋଦି ଟ୍ରମ୍ପ୍‌ ଆଲୋଚନା ଉପରେ ପୂରା ବିଶ୍ୱର ନଜର ରହିଛି।

ଦକ୍ଷିଣ ଚୀନ୍‌ ସାଗର ବିବାଦ, ଓବିଓଆର୍‌ ଏବଂ ପାକ୍‌-ଚୀନ୍‌ ଅର୍ଥନୈତିକ କରିଡର ନେଇ ଆଞ୍ଚଳିକ ଅସ୍ଥିରତା ବୃଦ୍ଧି ପାଉଥିବାରୁ ଟ୍ରମ୍ପ୍‌ ଏବଂ ମୋଦି ଏ ବାବଦରେ କୌଣସି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ବିଶ୍ୱକୁ ଚମକାଇ ପାରନ୍ତି। ପ୍ରଧାନମନ୍ତ୍ରୀ ଆଜି ଚୀନ୍‌ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍‌, ମାଲେସିଆ ପ୍ରଧାନମନ୍ତ୍ରୀ ନଜିବ ରଜାକ, ଫିଲିପାଇନ୍‌୍‌ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତର୍ତେଙ୍କୁ ମଧ୍ୟ ଭେଟିଛନ୍ତି। ଭାରତ ପ୍ରଶାନ୍ତ କ୍ଷେତ୍ରରେ ଭାରତର ଭୂମିକା ଆହୁରି ବ୍ୟାପକ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଏବଂ ଏ ବାବଦରେ ସମସ୍ତ ରାଷ୍ଟ୍ର ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ଫିଲାପାଇନ୍‌ସରେ ଭାରତୀୟ ସମୁଦାୟକୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି ।

ଭାରତ-ଜାପାନ-ଅଷ୍ଟ୍ରେଲିଆ ଏବଂ ଆମେରିକା ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସାମରିକ ସହଯୋଗୀ ହେବାକୁ ଯାଉଥିବାରୁ ଏ ସଂପର୍କରେ ମଧ୍ୟ ବିସ୍ତତ ଚର୍ଚ୍ଚା ହେବ। ଅନ୍ୟପକ୍ଷରେ ଚୀନ୍‌ର ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ (ଓବିଓଆର)ର ମୁକାବିଲା ପାଇଁ ଭାରତ-ଜାପାନ-ଆମେରିକା ମିଳିତ ଯୋଜନା କରିବେ ଏବଂ ଜାପାନ ଏହାର ରୂପରେଖ ପ୍ରସ୍ତୁତକରୁଛି। ପାକିସ୍ତାନକୁ ପ୍ରଧାନ୍ୟ ଦେଇ ଚୀନ୍‌ ପାକ୍‌ ଅଧିକୃତ କଶ୍ମୀରରେ ପାକ୍‌-ଚୀନ୍‌ ଆର୍ଥିକ କରିଡର କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବାରୁ ଭାରତ ଏହାର କଡ଼ା ବିରୋଧ କରି ଆସିଛି। ଚୀନ୍‌ର ବିସ୍ତାରବାଦ ନୀତିରେ ଅଙ୍କୁଶ ଲଗାଇବାକୁ ଓବିଓଆର୍‌ର ବିକଳ୍ପ ଭାରତ ଖୋଜୁଛି।

 

ସମ୍ବନ୍ଧିତ ଖବର