ନଏଡ଼ାରେ ଏସିଆର ବୃହତ୍ତମ ଏୟାରପୋର୍ଟ: ଶିଳାନ୍ୟାସ କଲେ ମୋଦୀ, ଉତ୍ତର ଭାରତର ‘ଲଜିଷ୍ଟିକ୍ସ ଗେଟ୍‌ୱେ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନଏଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରର ଶିଳାନ୍ୟାସ କରିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱର ନିକଟ‌ରେ ଏହି ବିମାନବନ୍ଦରର ଶିଳାନ୍ୟାସ ହୋଇଛି। ଏହି ଉତ୍ସବାରେ ମୋଦୀ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ଏହି ବିମାନବନ୍ଦର ନଏଡ଼ା ଏବଂ ପଶ୍ଚିମ ଉତ୍ତରପ୍ରଦେଶକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେବ। ଏସିଆର ସବୁଠାରୁ ବଡ଼ ଏହି ବିମାନ ବନ୍ଦର ଉତ୍ତର ଭାରତର ‘ଲଜିଷ୍ଟିକ୍ସ ଗେଟ୍‌ୱେ’ ହେବ। ସ୍ବାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ଉତ୍ତରପ୍ରଦେଶ ବାସିନ୍ଦା ଶେଷରେ ଯାହା ପାଇବାର ଥିଲା ପାଇଲେ ବୋଲି ମୋଦୀ କହିଛନ୍ତି। ୩ କୃଷି ଆଇନ ଉଚ୍ଛେଦ କରିବାପରେ ଉତ୍ତରପ୍ରଦେଶରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବଡ଼ କାର୍ଯ୍ୟକ୍ରମ।

ମୋଦୀ କହିଛନ୍ତି, ଏହି ବିମାନବନ୍ଦର ଦ୍ବାରା ସମାଜର ସବୁ ବର୍ଗର ଲୋକ ଉପକୃତ ହୋଇପାରିବେ। କୃଷକମାନେ ସିଧାସଳଖ ବିଶ୍ବକୁ ସେମାନଙ୍କ ପନିପରିବା, ଫଳ ଏବଂ ଅନ୍ୟାନ୍ୟ ଉତ୍ପାଦ ରପ୍ତାନି କରିପାରିବେ। ନଏଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହା ବାର୍ଷିକ ପ୍ରାୟ ୧.୨ କୋଟି ଲୋକଙ୍କୁ ସେବା ଦେଇପାରିବ। ଦିଲ୍ଲୀ, ନଏଡ଼ା, ଗଜିଆବାଦ, ଆଗ୍ରା, ଫରିଦାବାଦ ଏବଂ ନିକଟସ୍ଥ ଅଞ୍ଚଳର ଲୋକମାନେ ଏହାଦ୍ବାରା ଉପକୃତ ହେବେ। ଏହି ବିମାନବନ୍ଦରର ଉତ୍ତରପ୍ରଦେଶରେ ପଞ୍ଚମ ଅନ୍ତର୍ଜାତୀୟ ବିମାନବନ୍ଦର। ପୂର୍ବରୁ ବାରଣାସୀ, ଲକ୍ଷ୍ନୌରେ ବିମାନବନ୍ଦର ଥିଲା। ଗତ ମାସରେ କୁଶିନଗରରେ ଅନ୍ୟ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ ହୋଇଛି। ଅଯୋଧ୍ୟାରେ ମଧ୍ୟ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଯମୁନା ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ବିମାନବନ୍ଦର ନିର୍ମାଣ କରୁଛି। ଏହି ବିମାନବନ୍ଦର ପ୍ରକଳ୍ପ ଖର୍ଚ୍ଚ ୩୦ ହଜାର କୋଟି ଟଙ୍କା ରଖାଯାଇଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ୪,୬୦୦ କୋଟି ଖର୍ଚ୍ଚ ହେବ। ୧୩୦୦ ହେକ୍ଟରରୁ ଅଧିକ ଅଞ୍ଚଳରେ ୨ଟି ରନ୍‌ୱେ ନିର୍ମାଣ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୫,୮୦୦ ହେକ୍ଟରରୁ ଅଧିକ ଅଞ୍ଚଳରେ ୫ଟି ରନ୍‌ୱେ ଏବଂ ଗୋଟିଏ ମେଣ୍ଟେନାନ୍ସ ସେଣ୍ଟର୍‌ ନିର୍ମାଣ ହେବ। ଉତ୍ତରଭାରତ ଏବଂ ଏନ୍‌ସିଆର ଲୋକମାନେ ଏହି ‌ବିମାନବନ୍ଦର ଦ୍ବାରା ଉପକୃତ ହେବେ। ନଏଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ବିକାଶ କାର୍ଯ୍ୟ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନଏଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ୭୨ କିମି ଦୂର ଏବଂ ନଏଡ଼ାଠାରୁ ୪୨ କିମି ଦୂର।

ସମ୍ବନ୍ଧିତ ଖବର