ଏସିଆର ସର୍ବବୃହତ୍‌ ବସ୍ତି ଧାରାବୀ, ହଟ୍‌ସ୍ପଟ୍‌ରୁ ମ‌ଡେଲ୍‌ ପାଲଟିଲା

ମୁମ୍ବାଇ : ଏସିଆ ମହାଦେଶର ସବୁଠୁ ବଡ଼ ବସ୍ତି ଧାରାବୀ । ଧାରାବୀ ମୁମ୍ବାଇ ପାଇଁ ବଡ଼ ଚିନ୍ତାର କାରଣ ଥିଲା। ଏହା ଦିନେ କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌ ଥିଲା। କିନ୍ତୁ ଏବେ ଏହା କରୋନା ମୁକାବିଲା ଦିଗରେ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ମଡେଲ୍‌ରେ ପରିଣତ ହୋଇଛି। ଧାରାବୀରେ କରୋନାର ମୁକାବିଲା ପାଇଁ କର୍ତ୍ତୃପକ୍ଷ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଗତ ଏପ୍ରିଲରୁ ଏଯାବତ୍‌ ଅଧିକାରୀମାନେ ୪୭,୫୦୦ ଘରର କବାଟ ବାଡ଼େଇଛନ୍ତି। ଘରକୁ ଘର ବୁଲି ସେମାନେ ପ୍ରତି ଲୋକଙ୍କ ଶରୀରର ତାପମାତ୍ରା ଏବଂ ଅମ୍ଳଜାନ ସ୍ତର ମାପୁଥିଲେ। ବସ୍ତିରେ ୭ ଲକ୍ଷ ଲୋକଙ୍କୁ ଭଲଭାବେ ଯାଞ୍ଚ କରିଥିଲେ। ଏପରିକି ବସ୍ତିରେ ଅସ୍ଥାୟୀ କ୍ଲିନିକ୍‌ ବି ପ୍ରତିଷ୍ଠା ହୋଇଛି। ଯେଉଁମା‌ନଙ୍କର ଲକ୍ଷଣ ଦେଖାଦେଉଛି ସେମାନଙ୍କୁ କ୍ବାରାଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ମେ’ ପ୍ରଥମ ଭାଗରେ ଧାରାବୀରେ ସଂକ୍ରମଣ ମାମଲା ଯେତିକି ଥିଲା ଏବେ ତାହା ଏକ ତୃତୀୟାଂଶ କମିଯାଇଛି। ଅର୍ଦ୍ଧାଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଧାରାବୀ କରୋନାକୁ ଯେଭଳି ମୁକାବିଲା କରିଛି ତାହା ଅନ୍ୟ ବିକାଶଶୀଳ ଦୋର ସହର ପାଇଁ ଏକ ମଡେଲ୍‌ ଭାବେ ବ୍ୟବହାର କରିହେବ। ଧାରାବୀ ଦାୟିତ୍ବରେ ଥିବା ଆସି‌ଷ୍ଟାଣ୍ଟ୍‌ କମିସନର କହିଛନ୍ତି, ବସ୍ତିରେ ସାମାଜିକ ଦୂରତା ଅବଲମ୍ବନ କରିବା ଖୁବ୍‌ କଷ୍ଟଦାୟକ ଥିଲା। ତେଣୁ ସଂକ୍ରମଣ ବ୍ୟାପିବା ପୂର୍ବରୁ ଏଠାରେ ଭାଇରସ୍‌କୁ ନିୟନ୍ତ୍ରଣ କରିବା ଏକ ଚ୍ୟାଲେଂଜ ଥିଲା। ଧାରାବୀରେ ଆରମ୍ଭରୁ ହିଁ ଲୋକଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି ଏବଂ ଉପଯୁକ୍ତ ଚିକିତ୍ସା କରାଯାଇଛି। ଏହି ରଣନୀତି ଦ୍ବାରା ଆରୋଗ୍ୟ ହାର ବଢ଼ିବା ସହ ମୃତ୍ୟୁହାର କମିଛି। ଭାଇରସ୍‌ ସଂକ୍ରମିତ ହୋଇଥିବା ପ୍ରାୟ ୫୧ ପ୍ରତିଶତ ଧାରାବୀ ବାସିନ୍ଦା ଶେଷରେ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ମୁମ୍ବାଇରେ ଏହା ୪୧ ପ୍ରତିଶତ। ସେହିପରି ସଂକ୍ରମଣ ମାମଲା ମେ’ ଆରମ୍ଭରେ ଦିନକୁ ହାରାହାରି ୬୦ ଥିବାବେଳେ ଏବେ ଏହା ୨୦କୁ କମିଯାଇଛି। ଧାରାବୀରେ କଡ଼ା ଲକ୍‌ଡାଉନ୍‌ ନିୟମର ପାଳନ ଏବଂ ଅଧିକ ଟେଷ୍ଟିଂ ପାଇଁ କରୋନାକୁ ନିୟନ୍ତ୍ରଣ କରିହୋଇଛି। ଯଦି କେହି ଅସୁସ୍ଥ ଅନୁଭବ କରୁଛନ୍ତି ଏବଂ କରୋନା ଟେଷ୍ଟ୍‌ କରିବାକୁ ଚାହୁଛନ୍ତି ‌ତେବେ ସେ କେବଳ ପାଖରେ ଥିବା କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିବେ। ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କର ଯତ୍ନ ନେବେ। ପ୍ରାୟ ୧୦ ଲକ୍ଷ ଲୋକ ରହୁଥିବା ଧାରାବୀରେ ଭାଇରସ୍‌କୁ ନିୟନ୍ତ୍ରଣ କରିବା ଏତେ ସହଜ ନଥିଲା। ଏଠାରେ ୧୦୦ ବର୍ଗ ଫୁଟ୍‌ ଅଞ୍ଚଳ ପରିବ୍ୟାପ୍ତ ଏକ ଘରେ ପ୍ରାୟ ୭ ଜଣ ବସବାସ କରନ୍ତି। ଧାରାବିରେ ଆଇସୋଲେସନ୍‌ ସେଣ୍ଟର୍‌ରେ ରହୁଥିବା ଲୋକମାନେ ୨୪ ଘଣ୍ଟା ଡାକ୍ତରୀ ତତ୍ତ୍ବାବଧାନରେ ରହୁଛନ୍ତି। ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି। ଯେକୌଣସି ବ୍ୟକ୍ତିଙ୍କର ଜ୍ବର ଏବଂ ଥଣ୍ଡା ହେଲେ କରୋନା ଟେଷ୍ଟ୍‌ କରାଯାଉଛି। ତଥାପି କ‌ରୋନା ବିରୋଧରେ ଧାରାବୀର ଲଢ଼େଇ ଶେଷ ହୋଇନି। ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟ ଥିବାରୁ ଧାରାବୀକୁ ଅଧିକ ସତର୍କ ହେବାକୁ ପଡ଼ିବ। ସମଗ୍ର ମୁମ୍ବାଇ ସହରରୁ ଭାଇରସ୍‌ ନଯିବାପର୍ଯ୍ୟନ୍ତ ଏହି ଲଢ଼େଇ ଶେଷ ହୋଇଛି ବୋଲି କହିହେବନି।

ସମ୍ବନ୍ଧିତ ଖବର